ଭାରତୀୟ ତୈଳ ଟ୍ୟାଙ୍କରକୁ ଇରାନର ଚେତାବନୀ! ହର୍ମୁଜ୍‌ରେ ‘ହାନା’କୁ ଅଟକାଇଲା ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହର୍ମୁଜ୍‌ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କରକୁ ନେଇ ଆସିଛି ବଡ଼ ଖବର। ଇରାନୀ ଯୁଦ୍ଧଜାହାଜ ଏକ ଭାରତୀୟ ତୈଳ ଟ୍ୟାଙ୍କରକୁ ଚେତାବନୀ ଦେଇ ତାହାର ଗତିପଥ ବଦଳାଇବାକୁ ବାଧ୍ୟ କରିଥିବା ଦାବି କରାଯାଇଛି। ତେବେ ଏହି ଦାବିକୁ ଏଯାଏ ଭାରତୀୟ କର୍ତ୍ତୃପକ୍ଷ, ଟ୍ୟାଙ୍କର ଅପରେଟର କିମ୍ବା କୌଣସି ସ୍ୱାଧୀନ ସାମୁଦ୍ରିକ ସୁରକ୍ଷା ସଂସ୍ଥା ସ୍ୱାଧୀନ ଭାବେ ନିଶ୍ଚିତ କରିନାହାନ୍ତି।

ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ଫାର୍ସର ରିପୋର୍ଟ ଅନୁସାରେ, ‘ହାନା’ ନାମକ ଭାରତୀୟ ତୈଳ ଟ୍ୟାଙ୍କର ହର୍ମୁଜ୍‌ ପ୍ରଣାଳୀର ଦକ୍ଷିଣ ରୁଟ୍‌ ବା ଓମାନ କରିଡର ଦେଇ ଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଏକ ବଡ଼ ଇରାନୀ ଯୁଦ୍ଧଜାହାଜ ପକ୍ଷରୁ ଟ୍ୟାଙ୍କରକୁ ଚେତାବନୀ ଦିଆଯାଇଥିବା ଦାବି ହୋଇଛି। ଚେତାବନୀ ପରେ ଟ୍ୟାଙ୍କର ନିଜ ଗତିପଥ ବଦଳାଇଥିବା ଫାର୍ସ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛି। ଫାର୍ସର କହିବା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ହର୍ମୁଜ୍‌ର ଏହି ଦକ୍ଷିଣ ରୁଟ୍‌ରେ କୌଣସି ଜାହାଜ ଚଳାଚଳ ରେକର୍ଡ ହୋଇନାହିଁ।

ହର୍ମୁଜ୍‌ ପ୍ରଣାଳୀର ମୁଖ୍ୟ ଜାହାଜ ଚଳାଚଳ ପଥକୁ ଏଡ଼ାଇ କିଛି ଜାହାଜ ଦକ୍ଷିଣ ରୁଟ୍‌ ବ୍ୟବହାର କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି। କିନ୍ତୁ ଇରାନ-ଆମେରିକା-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ିବା ପରେ ଏହି ବିକଳ୍ପ ରାସ୍ତାରେ ମଧ୍ୟ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଇରାନ ଓ ଓମାନ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ ଏକ ଅସ୍ଥାୟୀ ଜାହାଜ ଚଳାଚଳ କରିଡର ପାଇଁ ପର୍ଯ୍ୟାୟବଦ୍ଧ ଢାଞ୍ଚା ଉପରେ ଆଲୋଚନା କରିଥିବା ଦାବି ହୋଇଛି। ଏଥିରେ ସମୁଦ୍ରପଥ ସୁରକ୍ଷିତ କରିବା ସହ ଲ୍ୟାଣ୍ଡମାଇନ୍‌ ହଟାଇବା ଭଳି ପଦକ୍ଷେପ ସାମିଲ ଥିବା କୁହାଯାଇଛି।

ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ୍‌ ଘରିବାଦି ଦାବି କରିଥିଲେ ଯେ ଚୁକ୍ତି ଅନୁସାରେ ଓମାନ ଉପକୂଳ ନିକଟ ଦକ୍ଷିଣ ପଥ ବନ୍ଦ ରହିବ। ତେବେ ଓମାନର ପ୍ରାରମ୍ଭିକ ବିବୃତିରେ ଏହି ରୁଟ୍‌ ବନ୍ଦ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ନଥିବା କୁହାଯାଇଛି। ହର୍ମୁଜ୍‌ ପ୍ରଣାଳୀ ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ପରିବହନ ପଥ। ଏହି ସମୁଦ୍ରପଥରେ ଉତ୍ତେଜନା ବଢ଼ିଲେ ଅନ୍ତର୍ଜାତୀୟ ତୈଳ ଯୋଗାଣ ଓ ବିଶ୍ୱ ଇନ୍ଧନ ବଜାର ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ଏହି କାରଣରୁ ଏଠାରେ ଜାହାଜ ଚଳାଚଳ ନେଇ ପ୍ରତ୍ୟେକ ଘଟଣା ଉପରେ ଅନ୍ତର୍ଜାତୀୟ ନଜର ରହିଛି। ଭାରତୀୟ ଟ୍ୟାଙ୍କର ‘ହାନା’କୁ ନେଇ ଫାର୍ସର ଦାବି ସତ ନା ନାହିଁ, ତାହା ସ୍ପଷ୍ଟ ହୋଇନଥିବା ବେଳେ ହର୍ମୁଜ୍‌ରେ ବଢ଼ୁଥିବା ଉତ୍ତେଜନା ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial