ନୂଆଦିଲ୍ଲୀ: ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ୨୧ ବର୍ଷୀୟା ଯୁବତୀଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟ। ନ୍ୟୁ ମହାବୀର ନଗରରେ ଥିବା ଭଡ଼ା ଘରେ ମୁସ୍କାନ ନାମକ ଜଣେ ଯୁବତୀଙ୍କୁ ଛୁରିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ମୁସ୍କାନ ଘରେ ଏକାକୀ ଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ଉପରେ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଆକ୍ରମଣରେ ତାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିଲା। ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ଜୀବନ ବଞ୍ଚାଯାଇପାରିନଥିଲା।
ମୁସ୍କାନ ଜଣେ ଛାତ୍ରୀ ହେବା ସହ ମଡେଲିଂ ମଧ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତଦନ୍ତରେ ଅଭିଯୁକ୍ତ ଇମ୍ରାନଙ୍କ ନାମ ସାମ୍ନାକୁ ଆସିଛି। ସେ ମୁସ୍କାନ ଯାଉଥିବା ଜିମ୍ରେ ଜଣେ ପ୍ରଶିକ୍ଷକ ଭାବେ କାମ କରୁଥିଲେ ବୋଲି ସୂଚନା ମିଳିଛି। ପରିବାରର ନିକଟତମ ଲୋକଙ୍କ ଅଭିଯୋଗ ଅନୁସାରେ, ଇମ୍ରାନ ହିଁ ମୁସ୍କାନଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ମୁସ୍କାନଙ୍କ ଭାଇ ଆକାଶ ମଧ୍ୟ ପୁଲିସ ଓ ପରିବାର ସଦସ୍ୟଙ୍କୁ ଏନେଇ ସୂଚନା ଦେଇଛନ୍ତି। ଘଟଣା ପରେ ଅଭିଯୁକ୍ତ ଇମ୍ରାନ ଫେରାର ଥିବା ଜଣାପଡ଼ିଛି। ତାଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ଟିମ୍ ଗଠନ କରି ତଦନ୍ତ ଓ ତଲାସି ଅଭିଯାନ ଚଳାଇଛି। ହତ୍ୟାର ପ୍ରକୃତ କାରଣ କ’ଣ, ଘଟଣା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅଭିଯୁକ୍ତଙ୍କ ସହ ମୁସ୍କାନଙ୍କ ସମ୍ପର୍କ କ’ଣ ଥିଲା—ସେନେଇ ପୁଲିସ ତଦନ୍ତ ଜାରି ରଖିଛି।













Leave a Reply