କାଠମାଣ୍ଡୁ: ନେପାଳରେ ବୁଧବାର ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପରେ ଭୟଙ୍କର ମାନବୀୟ ସଙ୍କଟ। ରସୁୱା ଅଞ୍ଚଳରେ ଘଟିଥିବା ଏହି ବିପର୍ଯ୍ୟୟରେ ଅତିକମରେ ୩୦୦ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ଲୋକ ନିଖୋଜ ଥିବା ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, ବନ୍ୟାରେ ୧୬୦ ଜଣଙ୍କ ମୃତ୍ୟୁ ଘଟିସାରିଛି। କିଛି ଘଣ୍ଟା ମଧ୍ୟରେ ବନ୍ୟାର ପ୍ରକୋପରେ ଅନେକ ସହର ଓ ଅଞ୍ଚଳର ଚିତ୍ର ବଦଳିଯାଇଛି। ବହୁ ଘର, ରାସ୍ତା ଓ ଭିତ୍ତିଭୂମି ନଷ୍ଟ ହୋଇଥିବା ବେଳେ ହଜାର ହଜାର ପରିବାର ବାସଗୃହ ହରାଇଛନ୍ତି। ବିପର୍ଯ୍ୟୟ ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ବନ୍ୟା ଯୋଗୁଁ ମାନସରୋବର ଯାତ୍ରା ପାଇଁ ବ୍ୟବହୃତ ପ୍ରମୁଖ ମାର୍ଗ ପ୍ରଭାବିତ ହୋଇଛି। ଫଳରେ ନିଖୋଜ ଭାରତୀୟଙ୍କ ମଧ୍ୟରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଥିବା ଆଶଙ୍କା କରାଯାଉଛି। ନେପାଳ ସରକାର ନିଖୋଜ ଭାରତୀୟଙ୍କ ସହ ଯୋଗାଯୋଗ ସ୍ଥାପନ ଏବଂ ସେମାନଙ୍କ ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ କରୁଛି। କେବଳ ଭାରତୀୟ ନୁହେଁ, ପ୍ରାୟ ୫୦୦ ବିଦେଶୀ ନାଗରିକ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଥିବା ନେପାଳ ସରକାର କହିଛି। ନେପାଳୀ ନାଗରିକଙ୍କ ଭଳି ବିଦେଶୀ ନାଗରିକଙ୍କ ସୁରକ୍ଷା ପ୍ରତି ମଧ୍ୟ ସରକାର ସମାନ ଭାବେ ପ୍ରତିବଦ୍ଧ ବୋଲି ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ କହିଛନ୍ତି। ଏଥିପାଇଁ ବିଭିନ୍ନ ଦେଶର ଦୂତାବାସ ସହ ନିୟମିତ ଯୋଗାଯୋଗ ରଖାଯାଇଛି।
ବିପର୍ଯ୍ୟୟର ଏହି ଘଡ଼ିରେ ନେପାଳକୁ ତୁରନ୍ତ ରିଲିଫ୍ ଓ ସହାୟତା ଯୋଗାଇଥିବାରୁ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ଜୋରଦାର କରାଯାଉଥିବା ବେଳେ ନିଖୋଜ ଲୋକଙ୍କ ସନ୍ଧାନକୁ ଗୁରୁତ୍ୱ ଦିଆଯାଉଛି। ଏପଟେ ନେପାଳର ପୋଖରା ଓ ଏଭରେଷ୍ଟ ଅଞ୍ଚଳ ସମେତ ଅଧିକାଂଶ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସୁରକ୍ଷିତ ଥିବା ନେପାଳ ସରକାର ପକ୍ଷରୁ କୁହାଯାଇଛି। ଦେଶର ପୁନର୍ଗଠନରେ ବିଶ୍ୱ ସମୁଦାୟ ନେପାଳ ସହ ଛିଡ଼ା ହେବା ସହ ପର୍ଯ୍ୟଟନ ଯାତ୍ରା ଜାରି ରଖିବାକୁ ମଧ୍ୟ ଶିଶିର ଖାନାଲ୍ ଅନୁରୋଧ କରିଛନ୍ତି। ତେବେ ୩୦୦ରୁ ଅଧିକ ଭାରତୀୟଙ୍କ ସମେତ ହଜାର ହଜାର ଲୋକଙ୍କ ନିଖୋଜ ଖବର ଚିନ୍ତା ବଢ଼ାଇଥିବା ବେଳେ, ଉଦ୍ଧାର କାର୍ଯ୍ୟ ଓ ନିଖୋଜଙ୍କ ସନ୍ଧାନ ଏବେ ନେପାଳ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।













Leave a Reply