ନୂଆଦିଲ୍ଲୀ: ପ୍ୟାକେଟ୍ ଫୁଡ୍ରେ ‘ଫ୍ରଣ୍ଟ-ଅଫ୍-ପ୍ୟାକ୍ ହେଲ୍ଥ ୱାର୍ଣ୍ଣିଂ ଲେବୁଲ୍’ ଲଗାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ କଡ଼ା ହୋଇଛନ୍ତି ସୁପ୍ରିମକୋର୍ଟ। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହ କୌଣସି ପ୍ରକାର ଆପୋଷ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବିକଶିତ ଦେଶଗୁଡ଼ିକରେ ଲାଗୁ ହେଉଥିବା ଖାଦ୍ୟ ଲେବୁଲିଂ ମାନଦଣ୍ଡ ଭାରତରେ ଲାଗୁ କରିବା ନେଇ କେନ୍ଦ୍ରର ଅନିଚ୍ଛା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଖଣ୍ଡପୀଠ।
ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏନେଇ ଆବଶ୍ୟକ ନିଷ୍ପତ୍ତି ନେବା ପାଇଁ ୨ ସପ୍ତାହ ସମୟ ଦେଇଛନ୍ତି। ସରକାର ନିଜଆଡ଼ୁ କୌଣସି ପଦକ୍ଷେପ ନନେଲେ, କୋର୍ଟ ନିଜେ ପରବର୍ତ୍ତୀ ନିର୍ଦ୍ଦେଶ ଜାରି କରିବେ ବୋଲି ଚେତାବନୀ ଦେଇଛନ୍ତି। ‘୩ଏସ୍ ଏଣ୍ଡ ଆଓ୍ୱାର ହେଲ୍ଥ ସୋସାଇଟି’ ପକ୍ଷରୁ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ପ୍ରସଙ୍ଗ ଉଠିଥିଲା। ପ୍ୟାକେଟ୍ରେ ଥିବା ଶର୍କରା, ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ର ପରିମାଣ ସମ୍ପର୍କରେ ସାମ୍ନା ଭାଗରେ ସ୍ପଷ୍ଟ ଚେତାବନୀ ଦେବାକୁ ଆବେଦନରେ ଦାବି କରାଯାଇଛି। ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମାନଦଣ୍ଡ ସହ ଭାରତ ତାଳ ଦେଇପାରିବ ନାହିଁ ବୋଲି ଯୁକ୍ତି ରଖାଯାଇଥିବାବେଳେ, ଏହାକୁ ନେଇ ଜଷ୍ଟିସ୍ ପାର୍ଡିୱାଲା ପ୍ରଶ୍ନ କରିଥିଲେ—‘ଭାରତ ସବୁବେଳେ ଏକ ଅବିକଶିତ ଦେଶ ହୋଇ ରହିବ କି?’
ଶିଶୁ ଓ ଯୁବପିଢ଼ିଙ୍କ ମଧ୍ୟରେ ମୋଟାପଣ ଏବଂ ପ୍ରୋସେସ୍ଡ ଫୁଡ୍ର ବଢୁଥିବା ସେବନକୁ ନେଇ କୋର୍ଟ ଗୁରୁତ୍ୱ ପ୍ରକାଶ କରିଛନ୍ତି। ଅର୍ଥନୈତିକ ସର୍ଭେ ୨୦୨୫-୨୬ ଅନୁଯାୟୀ, ଅସୁସ୍ଥକର ଖାଦ୍ୟ ଓ ଅତ୍ୟଧିକ ପ୍ରୋସେସ୍ଡ ଫୁଡ୍ ସେବନ ସହ ଜଡ଼ିତ ସମସ୍ୟା ଯୋଗୁଁ ଦେଶରେ ୨୪% ମହିଳା ଓ ୨୩% ପୁରୁଷ ମୋଟାପଣର ଶିକାର ହୋଇଛନ୍ତି। ଏହାସହ ୨୦୦୯ରୁ ୨୦୨୩ ମଧ୍ୟରେ ଭାରତର ପ୍ରୋସେସ୍ଡ ଫୁଡ୍ ବଜାର ୧୫୦%ରୁ ଅଧିକ ବୃଦ୍ଧି ପାଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ମଧୁମେହ ଓ ହୃଦରୋଗ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ାଉଥିବାରୁ ଖାଦ୍ୟ ସମ୍ପର୍କରେ ଗ୍ରାହକଙ୍କୁ ସଠିକ୍ ସୂଚନା ଦେବା ଜରୁରୀ ବୋଲି କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏହି ମାମଲାରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)ର ପଦକ୍ଷେପ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରାଯାଇଛି। ସମ୍ବିଧାନର ଧାରା ୨୧ରେ ଥିବା ଜୀବନ ଓ ସ୍ୱାସ୍ଥ୍ୟର ଅଧିକାର ସହ ଖାଦ୍ୟ ସୁରକ୍ଷାକୁ ଯୋଡ଼ି ଦେଖାଯାଇଛି। ଏବେ ନଜର କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ। ଦୁଇ ସପ୍ତାହ ମଧ୍ୟରେ ସରକାର କ’ଣ ନିଷ୍ପତ୍ତି ନେଉଛି, ତାହା ଉପରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଭିମୁଖ୍ୟ ନିର୍ଭର କରିବ।












Leave a Reply