ନେପାଳ-ତିବ୍ବତ ସୀମାରେ ଜଳପ୍ରଳୟ, ଚୀନରେ କ୍ଷୟକ୍ଷତି ନେଇ ବଢ଼ିଲା ଚର୍ଚ୍ଚା

ଅକ୍ଷର ବ୍ୟୁରୋ: ନେପାଳ-ତିବ୍ବତ ସୀମାରେ ଭୟଙ୍କର ବନ୍ୟା ପରେ ଚୀନର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଆସିଛି । ନେପାଳ ଓ ତିବ୍ବତ ମଧ୍ୟରେ ଥିବା ପ୍ରମୁଖ ସୀମା କ୍ରସିଂ ଗାଇରଙ୍ଗ ବନ୍ଦର ଦେଇ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡ଼ିଛି । ବନ୍ୟାରେ ବହୁ ଲୋକଙ୍କ ମୃତ୍ୟୁ ଓ ଅନେକଙ୍କ ନିଖୋଜ ହେବା ନେଇ ବିଭିନ୍ନ ରିପୋର୍ଟରେ ଦାବି କରାଯାଇଛି । ତେବେ କ୍ଷୟକ୍ଷତିର ପ୍ରକୃତ ପରିମାଣ ନେଇ ସ୍ପଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ବନ୍ୟାଜଳ ମାଡ଼ି ଆସିବା ପରେ ଶହ ଶହ ଲୋକ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା କୁହାଯାଉଛି । ପରେ ଏହି ଦୃଶ୍ୟଗୁଡ଼ିକ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଭୟଙ୍କର ବନ୍ୟାରେ ରାସ୍ତାଘାଟ ଓ ଅନ୍ୟାନ୍ୟ ଅଞ୍ଚଳ ପ୍ରଭାବିତ ହୋଇଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଚୀନର ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକରେ ବନ୍ୟା ସମ୍ପର୍କିତ ସ୍ୱାଧୀନ ପୋଷ୍ଟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ପ୍ରଭାବିତଙ୍କ ବ୍ୟକ୍ତିଗତ କାହାଣୀ ସୀମିତ ଭାବେ ଉପଲବ୍ଧ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ସରକାରୀ ଗଣମାଧ୍ୟମରେ ମଧ୍ୟ ଏପର୍ଯ୍ୟନ୍ତ ସୀମିତ ଫଟୋ ଓ ଉଦ୍ଧାର କାର୍ଯ୍ୟର ଫୁଟେଜ୍ ପ୍ରସାରଣ କରାଯାଇଥିବା ଦାବି କରାଯାଇଛି ।

ବନ୍ୟା ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି । ଚୀନ ସରକାର ଶହ ଶହ ଜରୁରୀକାଳୀନ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିବା ସୂଚନା ରହିଛି । ଭଗ୍ନାବଶେଷ, ପାହାଡ଼ ଓ ଦ୍ରୁତଗତିରେ ପ୍ରବାହିତ ନଦୀ ମଧ୍ୟରେ ଉଦ୍ଧାରକାରୀ ଦଳ ନିଖୋଜଙ୍କ ସନ୍ଧାନ କରୁଥିବାର ଦୃଶ୍ୟ ସରକାରୀ ଗଣମାଧ୍ୟମରେ ଦେଖାଯାଇଛି ।ବନ୍ୟା ପରିସ୍ଥିତିକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଥିବା ରିପୋର୍ଟ ହୋଇଛି । ପ୍ରଭାବିତ ଅଞ୍ଚଳର ସ୍ଥିତି ଓ କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଥିବା ଜଣାପଡ଼ିଛି । ତେବେ ଉଦ୍ଧାରକାରୀ ଦଳଙ୍କ ଅଭିଯାନ ଜାରି ରହିଥିବାବେଳେ ବନ୍ୟାରେ ପ୍ରକୃତରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି, କେତେ ଜଣଙ୍କ ମୃତ୍ୟୁ ଘଟିଛି ଏବଂ କେତେ ଜଣ ନିଖୋଜ ଅଛନ୍ତି—ସେନେଇ ଅଧିକ ସ୍ପଷ୍ଟ ତଥ୍ୟକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial