ପୂଜା ପରେ ପୋଖରୀରେ ଅଘଟଣ: ଏକାସାଙ୍ଗେ ୪ ଜଣଙ୍କ ମୃତ୍ୟୁ, ଗାଁରେ ଶୋକ

ଧୌଲପୁର: ରାଜସ୍ଥାନର ଧୌଲପୁର ଜିଲ୍ଲା ସରମଥୁରା ଅଞ୍ଚଳର ବିରଜା ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ଯୁବକ ଥିବା ଜଣାପଡ଼ିଛି। ଏକାସାଙ୍ଗରେ ୪ ଜଣଙ୍କ ମୃତ୍ୟୁ ପରେ ମୋରୋଲି ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ମୃତକମାନେ ଧୌଲପୁରର ମୋରୋଲି ଗାଁର ବାସିନ୍ଦା। ସେମାନେ ବିରଜା ଗାଁର ପ୍ରସିଦ୍ଧ ହୀରାମନ ବାବାଙ୍କ ସ୍ଥାନକୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ପୂଜା ସାରିବା ପରେ ସେମାନେ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଏହି ସମୟରେ ପାଦ ଖସିଯିବାରୁ ସେମାନେ ପୋଖରୀରେ ବୁଡ଼ିଯାଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ଘଟଣାର ଖବର ପାଇ ଆଙ୍ଗାଇ ଥାନା ପୁଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ଓ ବୁଡ଼ାଳିଙ୍କ ସହାୟତାରେ ପୋଖରୀରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଦୀର୍ଘ ସମୟର ଖୋଜାଖୋଜି ପରେ ୩ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ମୋରୋଲି ଗାଁରେ ଶୋକର ବାତାବରଣ। ପରିବାରବର୍ଗ ଭାଙ୍ଗିପଡ଼ିଥିବା ବେଳେ ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial