ଅଯୋଧ୍ୟା: କିଏ ହେବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ସ୍ଥାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO)? ଏହାକୁ ନେଇ ଆଜି ବସିବାକୁ ଯାଉଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମଣିରାମ ଦାସ କ୍ୟାଣ୍ଟନମେଣ୍ଟରେ ହେବାକୁ ଥିବା ଏହି ବୈଠକରେ ମନ୍ଦିରର ପ୍ରଶାସନିକ ଓ ପରିଚାଳନା ବ୍ୟବସ୍ଥା ସମ୍ପର୍କିତ ଅନେକ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
ସବୁଠୁ ବଡ଼ ପ୍ରସଙ୍ଗ ରହିଛି ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସ୍ଥାୟୀ CEO ନିଯୁକ୍ତି। CEO ଚୟନ ପାଇଁ ଗଠିତ ୩ ଜଣିଆ କମିଟି ସାକ୍ଷାତକାର ପ୍ରକ୍ରିୟା ଶେଷ କରି ୩ ଜଣଙ୍କ ନାଁ ଥିବା ପ୍ୟାନେଲ୍ ଟ୍ରଷ୍ଟ ନିକଟରେ ଦାଖଲ କରିସାରିଛି। ଆଜିର ବୈଠକରେ ଏହି ପ୍ୟାନେଲ୍ ଉପରେ ଆଲୋଚନା ପରେ ନାମ ଚୂଡ଼ାନ୍ତ ହେବା ନେଇ ନଜର ରହିଛି। ନୂଆ CEOଙ୍କ ନିଯୁକ୍ତି ସହ ତାଙ୍କ ଦାୟିତ୍ୱ ଓ କ୍ଷେତ୍ରାଧିକାରକୁ ମଧ୍ୟ ସ୍ପଷ୍ଟ କରାଯିବାର ସମ୍ଭାବନା ରହିଛି। ସାଧାରଣ ସମ୍ପାଦକ ଏହି ସଂଶୋଧନକୁ ବୈଠକର ଏଜେଣ୍ଡାରେ ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି। ଏଥିରେ ସାଧାରଣ ସମ୍ପାଦକ ଓ CEOଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ, CEOଙ୍କ କ୍ଷେତ୍ରାଧିକାର, ପ୍ରଶାସନିକ କମିଟି ସହ ସମନ୍ୱୟ, ଅଧିକାରୀ ଓ କର୍ମଚାରୀଙ୍କ ନିଯୁକ୍ତି ଏବଂ କାର୍ଯ୍ୟ ବିଭାଜନ ଭଳି ବିଷୟ ସାମିଲ ହୋଇପାରେ।
ଅନ୍ୟପଟେ ଟ୍ରଷ୍ଟରେ ଖାଲି ପଡ଼ିଥିବା ୩ଟି ପଦବୀରେ ନୂଆ ସଦସ୍ୟ ଚୟନ ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହେବ। ପୂର୍ବତନ ଟ୍ରଷ୍ଟ ମହାସଚିବ ଚମ୍ପାତ ରାୟ ଓ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ପରେ ଦୁଇଟି ପଦବୀ ଖାଲି ପଡ଼ିଛି। ଏହା ସହ ଟ୍ରଷ୍ଟି ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ମୃତ୍ୟୁ ପରେ ଆଉ ଏକ ପଦବୀ ଖାଲି ହୋଇଛି। ଫଳରେ ମୋଟ ୩ଟି ପଦବୀ ପାଇଁ ନୂଆ ସଦସ୍ୟ ଚୟନ ଏବେ ଟ୍ରଷ୍ଟର ବିଚାରାଧୀନ ରହିଛି। ଆଜିର ବୈଠକରେ ଟ୍ରଷ୍ଟର ମୁଖପାତ୍ର ନିଯୁକ୍ତି, ବାର୍ଷିକ ହିସାବ ଏବଂ ମନ୍ଦିରର ପରିଚାଳନା ବ୍ୟବସ୍ଥାର ସମୀକ୍ଷା ଓ ଉନ୍ନତି ନେଇ ମଧ୍ୟ ଆଲୋଚନା ହେବ। ଏହା ସହ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ କରିବା ନେଇ ମଧ୍ୟ ଆଲୋଚନା ହେବାର ସୂଚନା ରହିଛି। ସେହିପରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା SIT ରିପୋର୍ଟ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହେବ। ତେଣୁ ଆଜିର ଟ୍ରଷ୍ଟ ବୈଠକ ରାମ ମନ୍ଦିରର ଭବିଷ୍ୟତ ପ୍ରଶାସନିକ ଓ ପରିଚାଳନା ବ୍ୟବସ୍ଥା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ବହନ କରୁଛି।














Leave a Reply