ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍! ରାସ୍ତା ପାର୍ ବେଳେ ଯୁବକଙ୍କୁ ଧକ୍କା ଦେଇ ଛୁ’ ମାରିଲା କାର୍

ଭୁବନେଶ୍ୱର: ରାଜଧାନୀରେ ପୁଣି ସାମ୍ନାକୁ ଆସିଛି ହିଟ୍ ଆଣ୍ଡ ରନ୍ ଘଟଣା। ଭୁବନେଶ୍ୱର ବରମୁଣ୍ଡା କାଳୀ ମନ୍ଦିର ନିକଟରେ ରାସ୍ତା ପାର୍ ହେଉଥିବା ଜଣେ ଯୁବକଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଛି। ସୂଚନା ଅନୁସାରେ, ଯୁବକ ଜଣକ ବରମୁଣ୍ଡା କାଳୀ ମନ୍ଦିର ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ହଠାତ୍ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ଯୁବକ ଜଣକ ରାସ୍ତା ଉପରେ ପଡ଼ିଯାଇଥିଲେ। ଦୁର୍ଘଟଣାରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ପଠାଇଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଅନ୍ୟପଟେ, ଦୁର୍ଘଟଣା ପରେ ଧକ୍କା ଦେଇଥିବା କାର୍‌ଟି ଘଟଣାସ୍ଥଳରୁ ପଳାଇ ଯାଇଥିବାରୁ ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍‌ କରିବା ସହ ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଛି। କାର୍‌ଟିର ପରିଚୟ ଜାଣିବା ପାଇଁ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। କାର୍‌ର ନମ୍ବର କିମ୍ବା ଅନ୍ୟ କୌଣସି ପରିଚୟ ମିଳିଲେ ଖୁବଶୀଘ୍ର ଗାଡ଼ି ଓ ଚାଳକଙ୍କୁ ଠାବ କରାଯିବ ବୋଲି ପୁଲିସ ଆଶା ରଖିଛି। ବର୍ତ୍ତମାନ ଘଟଣାର ପୂରା କାରଣ ଏବଂ ଦୁର୍ଘଟଣା ଘଟାଇଥିବା କାର୍‌ର ପରିଚୟ ନେଇ ପୁଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial