ଭୁବନେଶ୍ୱର: କିଏ ହେବେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ବା DGP? ଏହି ପ୍ରଶ୍ନର ଉତ୍ତର ଦିଗରେ ଆଜି ମିଳିପାରେ ବଡ଼ ଅଗ୍ରଗତି। ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା PILର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ମୁଖ୍ୟତଃ DGP ଚୟନ ପାଇଁ ଯୋଗ୍ୟ IPS ଅଧିକାରୀଙ୍କ ତାଲିକା ପ୍ରସ୍ତୁତିରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି କି ନାହିଁ, ସେନେଇ ହେବ ବିଚାର। ଏହାସହ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ମଧ୍ୟ ଆଜିର ଶୁଣାଣିରେ ବେଶ୍ ଗୁରୁତ୍ୱ ବହନ କରିପାରେ।
DGP ଚୟନ ପାଇଁ ଓଡ଼ିଶା ସରକାର ପ୍ରଥମେ DG ରାଙ୍କର ୩ ଜଣ ବରିଷ୍ଠ IPS ଅଧିକାରୀଙ୍କ ନାଁ UPSCକୁ ପଠାଇଥିବା ନେଇ କୋର୍ଟରେ ତଥ୍ୟ ରଖାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଏହି ତାଲିକାରେ ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଓ ସୁଶାନ୍ତ କୁମାର ନାଥଙ୍କ ନାଁ ରହିଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଲିକାକୁ ବଢ଼ାଇ ୧୧ ଜଣ ଅଧିକାରୀଙ୍କ ନାଁ UPSCକୁ ପଠାଇଥିଲେ। ଏଥିରେ ୮ ଜଣ ADG ରାଙ୍କର ଅଧିକାରୀଙ୍କୁ ସାମିଲ କରାଯିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା।
ଆବେଦନକାରୀଙ୍କ ଅଭିଯୋଗ ହେଉଛି, ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ DGP ଚୟନ ପ୍ରକ୍ରିୟାରେ ସାମିଲ କରିବା ଉଦ୍ଦେଶ୍ୟରେ ତାଲିକା ବଢ଼ାଯାଇଛି। ଏହା ୨୦୦୬ର ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ନୀତିର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷ ଯୁକ୍ତି ରଖିଛି। ତେବେ ଆବେଦନକାରୀଙ୍କ ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବରିଷ୍ଠ IPS ଅଧିକାରୀଙ୍କ ପଦୋନ୍ନତି ଏକ ସ୍ୱାଭାବିକ ପ୍ରଶାସନିକ ପ୍ରକ୍ରିୟା। ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ଅଧିକାରୀଙ୍କୁ ନେଇ UPSCକୁ ସାନି ପ୍ରସ୍ତାବ ପଠାଇବାର ଅଧିକାର ରାଜ୍ୟର ରହିଛି ବୋଲି ସରକାର କୋର୍ଟରେ ଯୁକ୍ତି ରଖିଛନ୍ତି। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ UPSC ୩ ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ କରିବା ପୂର୍ବରୁ ମାମଲାର ଶୁଣାଣି ହେବା ଜରୁରୀ ବୋଲି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଯୁକ୍ତି ରଖିଥିଲେ।
ଏହାପରେ ସୁପ୍ରିମକୋର୍ଟ UPSCକୁ ଓଡ଼ିଶା DGP ପଦ ପାଇଁ ୩ ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ ନକରିବାକୁ କହିଥିଲେ। ପରବର୍ତ୍ତୀ ଶୁଣାଣିରେ ମଧ୍ୟ ଏହି ଅନ୍ତରୀଣ ବ୍ୟବସ୍ଥା ଜାରି ରହିଥିଲା। ଫଳରେ ଓଡ଼ିଶାର ସ୍ଥାୟୀ DGP ଚୟନ ପ୍ରକ୍ରିୟା ଅଟକି ରହିଛି। ସମଗ୍ର ବିବାଦର କେନ୍ଦ୍ରରେ ରହିଛି ୨୦୦୬ର ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ। DGP ଚୟନ ସମୟରେ ବରିଷ୍ଠତା ସହ ସର୍ଭିସ୍ ରେକର୍ଡ, ଅଭିଜ୍ଞତା ଏବଂ ପୋଲିସ ବାହିନୀର ନେତୃତ୍ୱ ନେବାର ଯୋଗ୍ୟତା ଆଦିକୁ ବିଚାରକୁ ନିଆଯାଏ। ଏହି ପ୍ରକ୍ରିୟାରେ UPSC ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ଏକ ପ୍ୟାନେଲ୍ ପ୍ରସ୍ତୁତ କରିଥାଏ ଏବଂ ସେହି ପ୍ୟାନେଲ୍ରୁ ରାଜ୍ୟ ସରକାର DGP ନିଯୁକ୍ତ କରନ୍ତି। ତେଣୁ ଓଡ଼ିଶା ସରକାର ପଠାଇଥିବା ଅଧିକାରୀଙ୍କ ତାଲିକା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଓ ନିର୍ଦ୍ଧାରିତ ନୀତି ସହ ସଙ୍ଗତିପୂର୍ଣ୍ଣ କି ନୁହେଁ, ତାହା ଆଜିର ଶୁଣାଣିର ମୁଖ୍ୟ ପ୍ରସଙ୍ଗ ହୋଇପାରେ।ଆଜିର ଶୁଣାଣିରେ ଆମିକସ୍ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟ ଉପରେ ମଧ୍ୟ ନଜର ରହିବ। ସେପ୍ଟେମ୍ବର ୨ରେ ମାମଲା ଶୁଣାଣି ବେଳେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ପାଇଁ ସମୟ ଦିଆଯାଇଥିଲା। ଏହାପରେ ମାମଲାକୁ ସେପ୍ଟେମ୍ବର ୭କୁ ରଖାଯାଇଥିଲା।
ଆଜିର ଶୁଣାଣି ପରେ ଓଡ଼ିଶାର ସ୍ଥାୟୀ DGP ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ସେନେଇ ଏକ ସ୍ପଷ୍ଟ ଚିତ୍ର ମିଳିପାରେ। କୋର୍ଟ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ସହ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ଯୁକ୍ତିକୁ ବିଚାରକୁ ନେଇପାରନ୍ତି। ଯଦି UPSC ଉପରେ ଥିବା ରୋକ ହଟେ, ତେବେ DGP ପଦ ପାଇଁ ୩ ଜଣିଆ ପ୍ୟାନେଲ୍ ପ୍ରସ୍ତୁତିର ରାସ୍ତା ଖୋଲିପାରେ। ଅନ୍ୟପଟେ ରୋକ ଜାରି ରହିଲେ ସ୍ଥାୟୀ DGP ଚୟନ ପ୍ରକ୍ରିୟା ଆହୁରି ବିଳମ୍ବିତ ହୋଇପାରେ। ସେହିପରି ଯୋଗ୍ୟ IPS ଅଧିକାରୀଙ୍କ ତାଲିକାକୁ ନେଇ କୋର୍ଟ ରାଜ୍ୟ ସରକାର କିମ୍ବା UPSCକୁ କୌଣସି ନୂଆ ନିର୍ଦ୍ଦେଶ ଦେଇପାରନ୍ତି। ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ଆଜିର ଶୁଣାଣି ଉପରେ—କାରଣ ଏହି ଶୁଣାଣି ହିଁ ଓଡ଼ିଶାର ପରବର୍ତ୍ତୀ DGP ଚୟନ ପ୍ରକ୍ରିୟାକୁ ନୂଆ ଦିଗ ଦେଇପାରେ।












Leave a Reply