ଗଞ୍ଜାମ: ସାଙ୍ଗ ସାଜିଲେ ବଇରୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅପହରଣ କରି ଜଙ୍ଗଲକୁ ନେଇଯିବା ପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଗୁରୁତର ଯୁବକଙ୍କୁ ରାସ୍ତାକଡ଼ରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ଆସିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗାଁରେ ଘଟିଛି ଏଭଳି ଘଟଣା। ଗୁରୁତର ଯୁବକ ହେଉଛନ୍ତି ଭରସା ଗାଁର କାହ୍ନୁ ମହାରଣା। କାହ୍ନୁଙ୍କ ଅଭିଯୋଗ ଅନୁସାରେ, କିଛି ଯୁବକ ତାଙ୍କୁ ଅପହରଣ କରି ଖଲ୍ଲିକୋଟ ଥାନା ଗୁହାରିଆପାଟ ଅଞ୍ଚଳର ଏକ ଜଙ୍ଗଲକୁ ନେଇଯାଇଥିଲେ।
କାହ୍ନୁଙ୍କ ଅଭିଯୋଗ ଅନୁସାରେ, ଜଙ୍ଗଲରେ ତାଙ୍କୁ ଗଛରେ ବାନ୍ଧି ଆକ୍ରମଣ କରାଯାଇଥିଲା। ଏପରିକି ତାଙ୍କୁ ଗୋଡ଼ ଧରିବା ପାଇଁ ବାଧ୍ୟ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଥାନାରେ ମାମଲା ନକରିବା ପାଇଁ ତାଙ୍କୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ରହିଛି। ପରେ କାହ୍ନୁ ଭୁଲ ମାଗିବା ପରେ ତାଙ୍କୁ ନିର୍ମଳଝର ଅଞ୍ଚଳର ଏକ ରାସ୍ତାକଡ଼ରେ ଛାଡ଼ି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଆକ୍ରମଣରେ କାହ୍ନୁଙ୍କ ଗୋଡ଼, ହାତ, ପାଟି ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଖଲ୍ଲିକୋଟ ପୁଲିସ ତଦନ୍ତ ଆରମ୍ଭ କରିଛି। ଅପହରଣ ଓ ଆକ୍ରମଣ ପଛରେ କେଉଁମାନେ ଅଛନ୍ତି, ପୂର୍ବ ଶତ୍ରୁତାର ପ୍ରକୃତ କାରଣ କ’ଣ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।
















Leave a Reply