ଅନୁଗୋଳରେ ସ୍ୱାସ୍ଥ୍ୟସେବାର ସାଂଘାତିକ ଚିତ୍ର! ଅଧା ଡାକ୍ତର ପଦ ଖାଲି, ବିନା ଡାକ୍ତରରେ ଚାଲୁଛି ହସ୍ପିଟାଲ

ଅନୁଗୋଳ: ଶିଳ୍ପ ବହୁଳ ଅନୁଗୋଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଅସଲ ଚିତ୍ର ଏବେ ଚିନ୍ତା ବଢ଼ାଇଛି। ଦୁର୍ଗମ ଅଞ୍ଚଳରେ ସାଧାରଣ ଚିକିତ୍ସାଟିଏ ପାଇବା ମଧ୍ୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ସାତକୋଶିଆ ଭିତରେ ରହୁଥିବା ଲୋକଙ୍କୁ ସାମାନ୍ୟ ଥଣ୍ଡା ହେଲେ ବି ଚିକିତ୍ସା ସେବା ମିଳୁନି। ନିକଟସ୍ଥ ପୁରୁଣାକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ ଡାକ୍ତର ନଥିବାରୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ପାଖରେ ଆଉ କୌଣସି ଡାକ୍ତରଖାନା ନଥିବାରୁ ପ୍ରାୟ ୪୦ କିମି ଦୂର ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ଲୋକେ। ଏପଟେ ପାଳଲହଡ଼ା ବ୍ଲକ୍‌ର ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ର ୩ ମାସ ହେଲା ବନ୍ଦ ରହିଛି। ଫଳରେ ଏହି ଅଞ୍ଚଳରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ ଚିକିତ୍ସା ପାଇଁ ଲୋକଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ଓ ନିକଟସ୍ଥ କେନ୍ଦ୍ରରେ ଡାକ୍ତର ନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳର ଲୋକଙ୍କ ଭରସା ଏବେ ଭଗବାନଙ୍କ ଉପରେ ବୋଲି ଅଭିଯୋଗ ହେଉଛି।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଅନୁଗୋଳ ଜିଲ୍ଲାରେ ୯୭ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା। କିନ୍ତୁ ଏବେ ଅଛନ୍ତି ମାତ୍ର ୫୪ ଜଣ। ଅର୍ଥାତ୍‌ ୪୩ଟି ପଦ ଖାଲି ପଡ଼ିଛି।
ସେହିପରି ଏମ୍‌ବିବିଏସ୍‌ ଡାକ୍ତରଙ୍କ ପାଇଁ ଜିଲ୍ଲାରେ ୩୯୭ଟି ଅନୁମୋଦିତ ପଦ ରହିଛି। ଏଥିରୁ ୨୦୧ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୯ ଜଣଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ଅର୍ଥାତ୍‌ ମୋଟ ୨୧୦ ଜଣ ଡାକ୍ତର ଥିବାବେଳେ ୧୮୭ଟି ପଦ ଖାଲି ପଡ଼ିଛି। ଅନୁମୋଦିତ ପଦ ତୁଳନାରେ ଜିଲ୍ଲାରେ ପ୍ରାୟ ୪୭ ପ୍ରତିଶତ ଡାକ୍ତର ପଦ ଖାଲି ରହିଛି।ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଆୟୁଷ ଡାକ୍ତରଙ୍କ ଉପରେ ଚିକିତ୍ସାସେବାର ଭାର ନିର୍ଭର କରୁଥିବା ଅଭିଯୋଗ ହେଉଛି।

କେବଳ ଡାକ୍ତର ଅଭାବ ନୁହେଁ, ଜିଲ୍ଲାର ଅଧିକାଂଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଫଳରେ ଅନେକ ସିଏଚ୍‌ସି କେବଳ ରେଫରାଲ୍‌ କେନ୍ଦ୍ର ଭାବେ କାମ କରୁଥିବା ଅଭିଯୋଗ ହେଉଛି। ସାମାନ୍ୟ ରୋଗ ହେଲେ ମଧ୍ୟ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଛି। ସ୍ୱାସ୍ଥ୍ୟ ବିଭାଗରେ କେବଳ ଡାକ୍ତର ନୁହେଁ, ପାରାମେଡିକାଲ କର୍ମଚାରୀ, ନର୍ସ ଓ ଟେକ୍ନିସିଆନ୍‌ଙ୍କ ମଧ୍ୟ ଘୋର ଅଭାବ ରହିଛି।

ନର୍ସିଂ ଅଫିସର: ୭୦୯ ପଦ ମଧ୍ୟରୁ ୩୧୮ ପଦ ଖାଲି; ଅର୍ଥାତ୍‌ ପ୍ରାୟ ୪୫% ପଦ ଖାଲି।
ଫାର୍ମାସି ଅଫିସର: ୧୩୦ ପଦ ମଧ୍ୟରୁ ଅଛନ୍ତି ମାତ୍ର ୪୧ ଜଣ; ୮୯ ପଦ ଖାଲି।
ରେଡିଓଗ୍ରାଫର: ୩୧ଟି ପଦ ଥିବାବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୯ ଜଣ।
ଲ୍ୟାବ୍‌ ଟେକ୍ନିସିଆନ୍‌: ୭୯ଟି ପଦରୁ ୩୮ଟି ପଦ ଖାଲି।
ଏହାଛଡ଼ା ଅନେକ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସୁପରଭାଇଜର ପଦ ମଧ୍ୟ ଖାଲି ପଡ଼ିଛି।
ସରକାରଙ୍କୁ ଅବଗତ କରାଯାଇଛି: ସିଡିଏମ୍‌ଓ

ସ୍ୱାସ୍ଥ୍ୟକର୍ମୀଙ୍କ ଏହି ଅଭାବ ଯୋଗୁଁ ଜିଲ୍ଲାର ଦୁର୍ଗମ ଅଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ ହେଉଛି। ଏନେଇ ଅନୁଗୋଳ ସିଡିଏମ୍‌ଓ ଡା. ମଦନ ମୋହନ ପ୍ରଧାନ କହିଛନ୍ତି ଯେ, ଜିଲ୍ଲାରେ ଡାକ୍ତର ଅଭାବ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ସରକାର ଏ ଦିଗରେ ପଦକ୍ଷେପ ନେବେ। ତେବେ ଶିଳ୍ପ ସମୃଦ୍ଧ ଅନୁଗୋଳ ଭଳି ଜିଲ୍ଲାରେ ଯଦି ମୌଳିକ ଚିକିତ୍ସାସେବା ପାଇଁ ଲୋକଙ୍କୁ ୪୦ କିମି ଦୂର ଯିବାକୁ ପଡ଼ୁଛି, ତେବେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମି ଓ ମାନବସମ୍ବଳକୁ ନେଇ ବଡ଼ ପ୍ରଶ୍ନ ଉଠିବା ସ୍ୱାଭାବିକ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial