ଭୁବନେଶ୍ୱର: ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ଆଜିଠୁ ୫ ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗସ୍ତ ସମୟରେ ବିଭିନ୍ନ ନିବେଶକ, ଶିଳ୍ପପତି ଓ ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରି ଓଡ଼ିଶାରେ ନିବେଶର ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋକପାତ କରିବେ। ଏହାସହ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ଏବଂ ରାଜ୍ୟରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ମଧ୍ୟ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି।
ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯିବେ। ସେଠାରୁ ଆବୁଧାବି ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ UAE ଗସ୍ତ କରିବେ। ଆସନ୍ତାକାଲି, ୯ ତାରିଖରେ ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଏହାପରେ ସନ୍ଧ୍ୟାରେ ଦୁବାଇରେ ‘ୱାନ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦ୍ଘାଟନ କରିବେ।
୧୦ ତାରିଖରେ UAEର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନ୍ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍ଭେଷ୍ଟମେଣ୍ଟସର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ଏହାସହ ବିଭିନ୍ନ ଶିଳ୍ପପତି ଓ ପୁଞ୍ଜିନିବେଶକଙ୍କ ସହ ମଧ୍ୟ ଆଲୋଚନା କରିବେ। ୧୧ ତାରିଖରେ ଦୁବାଇରେ ଆୟୋଜିତ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍। ଏଠାରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତି ଓ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରହିଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ। ଏହାସହ ପ୍ରବାସୀ ଓଡ଼ିଆମାନଙ୍କ ସହ ମତ ବିନିମୟ କରିବେ। ୫ ଦିନିଆ UAE ଗସ୍ତ ଶେଷ କରି ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ। ଏହି ଗସ୍ତ ମାଧ୍ୟମରେ ଓଡ଼ିଶାକୁ ବିଦେଶୀ ପୁଞ୍ଜିନିବେଶ ଆକର୍ଷଣ ସହ ରାଜ୍ୟର ଶିଳ୍ପ, ବାଣିଜ୍ୟ ଓ ବିକାଶର ନୂଆ ସମ୍ଭାବନା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ।












Leave a Reply