ଜେଲ୍‌ରେ ସଫେଇ ଚାଲିଥିଲା, ଚମ୍ପଟ ମାରିଲା କଏଦୀ! ନୂଆପଡ଼ା ଉପକାରାଗାରରୁ ଫେରାର

ନୂଆପଡ଼ା: ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ନେଇ ଚାଞ୍ଚଲ୍ୟ। ସୋମବାର ଜେଲ୍‌ରେ ସଫେଇ କାମ ଚାଲିଥିବା ବେଳେ ସୁଯୋଗ ନେଇ ଜଣେ କଏଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି। ଫେରାର କଏଦୀ ହେଲେ ସିନାପାଲି ଥାନା ଅଧୀନ କାନ୍ଦୁଲକୋନା ଗାଁର ବିଶ୍ୱବିହାରୀ ସିଂ ମାଝୀ। ଘଟଣା ଜଣାପଡ଼ିବା ପରେ ନୂଆପଡ଼ା ଉପକାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଫେରାର କଏଦୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ୨୦୨୧ରେ ଦୁଷ୍କର୍ମ ମାମଲାରେ ବିଶ୍ୱବିହାରୀ ଗିରଫ ହୋଇ ନୂଆପଡ଼ା ଉପକାରାଗାରକୁ ଆସିଥିଲେ। ମାମଲାର ବିଚାର କରି ନୂଆପଡ଼ା କୋର୍ଟ ୨୦୨୩ରେ ବିଶ୍ୱବିହାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାସହ ତାଙ୍କୁ ୨୦ ବର୍ଷ ପାଇଁ ଜେଲ୍‌ଦଣ୍ଡାଦେଶ ଶୁଣାଇଥିଲେ। ସେବେଠାରୁ ସେ ଜେଲ୍‌ରେ ରହିଆସୁଥିଲେ। ଜେଲ୍‌ ଭଳି ଏକ ସୁରକ୍ଷିତ ପରିସରରୁ କଏଦୀ ଫେରାର ହେବା ଘଟଣା ପରେ ନୂଆପଡ଼ା ଉପକାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ସଫେଇ କାମ ଚାଲିଥିବା ସମୟରେ କିଭଳି କଏଦୀ ଫେରାର ହେଲେ, ସେନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପଟେ ଫେରାର କଏଦୀଙ୍କୁ ଧରିବା ପାଇଁ ପୁଲିସ ତଲାସୀ ଅଭିଯାନ ଜୋରଦାର କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial