ଭୁବନେଶ୍ୱର: ବର୍ଷା ଋତୁରେ ଗ୍ରୀଷ୍ମର ତାତି। ଦୁର୍ବଳ ମୌସୁମୀ ପ୍ରବାହ ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆକାଶ ମେଘମୁକ୍ତ ରହୁଥିବାରୁ ଗତ ୩ ଦିନ ହେଲା ରାଜ୍ୟରେ ତାପମାତ୍ରା ଉପରମୁହାଁ ହୋଇଛି। ଏହାସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ରାଜ୍ୟବାସୀ ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି। ବର୍ଷର ଅଧିକାଂଶ ସମୟ ଅପେକ୍ଷାକୃତ ଥଣ୍ଡା ରହୁଥିବା ପୁରୀ ସହରରେ ମଧ୍ୟ ତାତି ବଢ଼ିବାରେ ଲାଗିଛି। ସେହିପରି ବଣ ଜଙ୍ଗଲ ଘେରା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଲଗାତାର ଭାବେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହେଉଛି। ଚାନ୍ଦବାଲି ଓ ପାରାଦୀପ ଭଳି ଉପକୂଳବର୍ତ୍ତୀ ସହରରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ଦୁଇ ମାସ ଧରି ବର୍ଷାରେ ଭିଜୁଥିବା ଓଡ଼ିଶାରେ ହଠାତ୍ ତାତି ସାଙ୍ଗକୁ ଗୁଳୁଗୁଳି ବଢ଼ିବା ଯୋଗୁଁ ଜନଜୀବନ ମଧ୍ୟ ପ୍ରଭାବିତ ହେଉଛି। ଗତକାଲି ରାଜ୍ୟର ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ୩୭.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ଅନ୍ୟ ସହରଗୁଡ଼ିକର ତାପମାତ୍ରା ହେଉଛି—
ପୁରୀ: ୩୬.୨ ଡିଗ୍ରି
ଭୁବନେଶ୍ୱର: ୩୬ ଡିଗ୍ରି
ନୟାଗଡ଼: ୩୬ ଡିଗ୍ରି
ପାରାଦୀପ: ୩୫.୮ ଡିଗ୍ରି
ଚାନ୍ଦବାଲି: ୩୫.୭ ଡିଗ୍ରି
ଭଦ୍ରକ: ୩୫.୫ ଡିଗ୍ରି
ଢେଙ୍କାନାଳ: ୩୫.୪ ଡିଗ୍ରି
କଟକ: ୩୫.୨ ଡିଗ୍ରି
ଝାରସୁଗୁଡ଼ା: ୩୫ ଡିଗ୍ରି
ଯାଜପୁର: ୩୫ ଡିଗ୍ରି
ତାଳଚେର: ୩୫ ଡିଗ୍ରି
କାଳବୈଶାଖୀ ଦେବ ଆଶ୍ୱସ୍ତି
ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି ପାଣିପାଗ ବିଭାଗର ପୂର୍ବାନୁମାନ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏହାରି ଭିତରେ ୯ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଅର୍ଥାତ୍, ଏବେ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ଦିନରେ ବର୍ଷା ଓ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗରେ ପୁଣି ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।












Leave a Reply