ବାରିପଦା: ଲାଞ୍ଚ ନେଇ ଜେଲ୍ ଯାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଡ଼ୁଆ ଏବେ ଆହୁରି ବଢ଼ିଛି। ଲାଞ୍ଚ ମାମଲା ପରେ ତାଙ୍କ ସମ୍ପତ୍ତି ନେଇ ଖୋଳତାଡ଼ କରୁଥିବା ବେଳେ ଭିଜିଲାନ୍ସ ହାତରେ ଲାଗିଛି ବଡ଼ ତଥ୍ୟ। ଆୟ ତୁଳନାରେ ପ୍ରାୟ ୧୨୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହେବା ପରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ପୁଣି ଗିରଫ କରିଛି ବାରିପଦା ଭିଜିଲାନ୍ସ ୟୁନିଟ୍।
ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ସୁବ୍ରତ ମହାନ୍ତିଙ୍କ ନିକଟରୁ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ତାଙ୍କ ଆୟ ତୁଳନାରେ ପ୍ରାୟ ୧୨୩ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ତଦନ୍ତରୁ ଜଣାପଡ଼ିବା ପରେ ଭିଜିଲାନ୍ସ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିଛି। ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୁବ୍ରତ ମହାନ୍ତିଙ୍କ ବିରୋଧରେ ଏହା ପ୍ରଥମ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନୁହେଁ। ଗତ ଜାନୁଆରୀ ୬ ତାରିଖରେ ଜଣେ ଠିକାଦାରଙ୍କଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଏବଂ ପରେ ଜେଲ୍ ଯାଇଥିଲେ।
ସୂଚନା ଅନୁଯାୟୀ, ଠିକାଦାରଙ୍କ ଦ୍ୱାରା ଶେଷ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବାବଦକୁ ପ୍ରାୟ ୫ ଲକ୍ଷ ଟଙ୍କାର ବକେୟା ବିଲ୍ ଏବଂ ସିକ୍ୟୁରିଟି ଡିପୋଜିଟ୍ ଛାଡ଼ିବା ପାଇଁ ସୁବ୍ରତ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଲାଞ୍ଚ ମାମଲାରେ ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ସୁବ୍ରତଙ୍କ ସମ୍ପତ୍ତି ଉପରେ ତଦନ୍ତ ଆରମ୍ଭ କରାଯାଇଥିଲା। ଖୋଳତାଡ଼ ବେଳେ ତାଙ୍କ ନିକଟରେ ଆୟ ତୁଳନାରେ ବିପୁଳ ପରିମାଣର ସମ୍ପତ୍ତି ଥିବା ତଥ୍ୟ ସାମ୍ନାକୁ ଆସିଥିଲା। ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ସହ ଆୟ ତୁଳନାରେ ୧୨୩ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଛି। ଏହାକୁ ଆଧାର କରି ଭିଜିଲାନ୍ସ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିଛି। ଏହି ମାମଲାରେ ପୁଣିଥରେ ଗିରଫ ହୋଇ ସୁବ୍ରତ ମହାନ୍ତି କୋର୍ଟ ଚାଲାଣ ହୋଇଛନ୍ତି।












Leave a Reply