ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ଅଞ୍ଚଳରେ ଏବେ ଚିନ୍ତା ବଢ଼ାଇଛି ଜଣ୍ଡିସ୍ ବା ହେପାଟାଇଟିସ୍। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ମଧ୍ୟରେ ଏହି ରୋଗ ବ୍ୟାପୁଥିବା ବେଳେ ଚିକିତ୍ସା ସୁବିଧାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ରୋଗୀମାନେ ମେଡିକାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନପାଇ ଦେଶୀ ଚିକିତ୍ସା ଉପରେ ନିର୍ଭର କରୁଥିବା ଅଭିଯୋଗ ହୋଇଛି। ସରକାରୀ ରେକର୍ଡ ଅନୁସାରେ ଚିତ୍ରକୋଣ୍ଡା ଅଞ୍ଚଳରେ ବର୍ତ୍ତମାନ ୬ ଜଣ ହେପାଟାଇଟିସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ବାସ୍ତବରେ ଏହି ସଂଖ୍ୟା ଆହୁରି ଅଧିକ ଥିବା ଦେଖିବାକୁ ମିଳୁଛି। ବର୍ଷ ବର୍ଷ ଧରି ଅଞ୍ଚଳବାସୀ ସରକାରୀ ସ୍ତରରେ ହେପାଟାଇଟିସ୍ ଚିକିତ୍ସାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ମଧ୍ୟ ରହିଛି।
ଚିତ୍ରକୋଣ୍ଡା ହସ୍ପିଟାଲରେ ହେପାଟାଇଟିସ୍ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରୋଗୀ ଓ ପରିବାର ଲୋକଙ୍କ ସମସ୍ୟା ବଢ଼ିଛି। ଫଳରେ ଅନେକ ରୋଗୀ ଦେଶୀ ଚିକିତ୍ସା ଉପରେ ଭରସା କରୁଥିବା ଦେଖିବାକୁ ମିଳୁଛି। ତେବେ କିଛି ରୋଗୀ ଚିତ୍ରକୋଣ୍ଡାରୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ଯାଇ ଚିକିତ୍ସା କରାଉଛନ୍ତି। ଦୂର ଅଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟକୁ ଯାଇ ଚିକିତ୍ସା କରାଇବା ସମସ୍ତଙ୍କ ପାଇଁ ସହଜ ହେଉନଥିବାରୁ ସ୍ଥାନୀୟ ସ୍ତରରେ ହେପାଟାଇଟିସ୍ ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ ପ୍ରଶ୍ନ ଉଠିଛି। ଅଞ୍ଚଳରେ ହେପାଟାଇଟିସ୍ ରୋଗୀଙ୍କ ସଂଖ୍ୟା, ଚିକିତ୍ସା ସୁବିଧା ଏବଂ ସରକାରୀ ସ୍ୱାସ୍ଥ୍ୟସେବାର ଉପଲବ୍ଧତାକୁ ନେଇ ଏବେ ଚିନ୍ତା ପ୍ରକାଶ ପାଇଛି। ଚିତ୍ରକୋଣ୍ଡାରେ ହେପାଟାଇଟିସ୍ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଆବଶ୍ୟକ ବ୍ୟବସ୍ଥା କେବେ ଉପଲବ୍ଧ ହେବ, ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।












Leave a Reply