ଅକ୍ଷର ବ୍ୟୁରୋ: ସ୍କୁଲ୍ ଓ କଲେଜରେ ଶିକ୍ଷକ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ। ପ୍ରଚଳିତ ଆଇନ ଅନୁସାରେ ନିର୍ଦ୍ଧାରିତ ଆବଶ୍ୟକ ଯୋଗ୍ୟତା ନଥିଲେ କୌଣସି ଶିକ୍ଷକଙ୍କୁ ସ୍କୁଲ୍ କିମ୍ବା କଲେଜରେ ନିଯୁକ୍ତ କରାଯିବ ନାହିଁ କିମ୍ବା ଚାକିରିରେ ଜାରି ରଖାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଏହି ନିର୍ଦ୍ଦେଶ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି ସମୟରେ ଏହି ଅନ୍ତରୀଣ ଆଦେଶ ଆସିଛି।
ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଶିକ୍ଷା ଅଧିକାର ଆଇନ୍ (RTE), National Council for Teacher Education (NCTE) Act ଏବଂ University Grants Commission (UGC) Act ଅଧୀନରେ ଶିକ୍ଷକଙ୍କ ପାଇଁ ଯେଉଁ ଯୋଗ୍ୟତା ନିର୍ଦ୍ଧାରିତ ହୋଇଛି, ତାହା ପୂରଣ କରିବା ବାଧ୍ୟତାମୂଳକ। ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଏହି ଯୋଗ୍ୟତାକୁ ଅଣଦେଖା କରାଯାଇପାରିବ ନାହିଁ। ଅର୍ଥାତ୍, ଆଇନ ଅନୁସାରେ ଆବଶ୍ୟକ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ଶିକ୍ଷକ ଭାବେ ନିଯୁକ୍ତି କିମ୍ବା ଚାକିରିରେ ଜାରି ରଖିବା ନେଇ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏହି PILରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ପ୍ରୋଭିନସିଆଲାଇଜେସନ୍ ସମ୍ପର୍କିତ ବିଭିନ୍ନ ଆଇନଗତ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି।ପ୍ରୋଭିନସିଆଲାଇଜେସନ୍ର ଅର୍ଥ ହେଉଛି ବେସରକାରୀ କିମ୍ବା ଅଣସରକାରୀ ଶିକ୍ଷାନୁଷ୍ଠାନର ଯୋଗ୍ୟ ଶିକ୍ଷକ ଓ କର୍ମଚାରୀଙ୍କ ସେବାକୁ ଆଇନ କିମ୍ବା ସରକାରୀ ବ୍ୟବସ୍ଥା ମାଧ୍ୟମରେ ସରକାରୀ ବ୍ୟବସ୍ଥା ଅଧୀନକୁ ଆଣିବା। ଏହି ପ୍ରକ୍ରିୟାରେ ସ୍ୱଚ୍ଛ, ନିରପେକ୍ଷ ଓ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ବିନା କୌଣସି ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ସ୍ଥାୟୀ ସରକାରୀ ସେବାରେ ପ୍ରବେଶ କରାଇବାକୁ ଆଇନ ଅନୁମତି ଦେଇପାରିବ କି ନାହିଁ, ତାହା ମଧ୍ୟ PILରେ ପ୍ରଶ୍ନ କରାଯାଇଛି।
ଆବେଦନକାରୀଙ୍କ ମତରେ, ସରକାରୀ ଚାକିରି ପାଇଁ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିବା ଦରକାର। କୌଣସି ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପ୍ରତିଯୋଗିତାମୂଳକ ଚୟନ ପ୍ରକ୍ରିୟା ବିନା ସିଧାସଳଖ ସରକାରୀ ସେବାରେ ସାମିଲ କରାଗଲେ ଏହି ନୀତି ପ୍ରଭାବିତ ହୋଇପାରେ ବୋଲି ଆବେଦନକାରୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। PIL ଉପରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଶିକ୍ଷକଙ୍କ ପାଇଁ ପ୍ରଯୁଜ୍ୟ RTE, NCTE କିମ୍ବା UGC ଆଇନ ଅଧୀନରେ ନିର୍ଦ୍ଧାରିତ ଯୋଗ୍ୟତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ବର୍ତ୍ତମାନର ନିର୍ଦ୍ଦେଶ ଏକ ଅନ୍ତରୀଣ ଆଦେଶ। ତେଣୁ ଏହାକୁ ମାମଲାର ଚୂଡ଼ାନ୍ତ ରାୟ ବୋଲି ଧରାଯିବ ନାହିଁ। PILରେ ଉଠାଯାଇଥିବା ଆଇନଗତ ଓ ସାମ୍ବିଧାନିକ ପ୍ରସଙ୍ଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପରବର୍ତ୍ତୀ ଶୁଣାଣିରେ ଆସିବ।












Leave a Reply