ବ୍ରିଟେନରେ ATC ସିଷ୍ଟମ୍‌ରେ ବଡ଼ ତ୍ରୁଟି! ୧୦୦୦ରୁ ଅଧିକ ବିମାନ ବାତିଲ, ୬୫ ହଜାର ଯାତ୍ରୀ ପ୍ରଭାବିତ

ଅକ୍ଷର ବ୍ୟୁରୋ: ବ୍ରିଟେନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ (ATC) ସିଷ୍ଟମ୍‌ରେ ବଡ଼ ଧରଣର ବୈଷୟିକ ତ୍ରୁଟି। ଫଳରେ ଦେଶର ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୧୦୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ ହଜାର ହଜାର ଯାତ୍ରୀ ଯାତ୍ରା ବିଭ୍ରାଟର ସାମ୍ନା କରିଛନ୍ତି। ବ୍ରିଟେନର National Air Traffic Services (NATS) ଅନୁସାରେ, ଫ୍ଲାଇଟ୍ ପ୍ରୋସେସିଂ ସିଷ୍ଟମ୍‌ରେ ଦେଖାଦେଇଥିବା ସମସ୍ୟାକୁ ସୁଧାରି ଦିଆଯାଇଥିଲା। କିନ୍ତୁ ବାତିଲ ଓ ଅଟକି ରହିଥିବା ବିମାନଗୁଡ଼ିକର ବ୍ୟାକଲଗ୍‌ ଯୋଗୁଁ ସମସ୍ୟା ତୁରନ୍ତ ସ୍ୱାଭାବିକ ହୋଇପାରିନଥିଲା। ସିଷ୍ଟମ୍‌ରେ ତ୍ରୁଟିର ପ୍ରଭାବରେ ବ୍ରିଟେନର ୧୫ରୁ ଅଧିକ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ଼ ଓ ବିମାନ ଚଳାଚଳରେ ଅସୁବିଧା ଜାରି ରହିଥିଲା। ଅନେକ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡ଼ିଥିଲା।

ଆୟରଲ୍ୟାଣ୍ଡ ଯିବାକୁ ଥିବା ରାୟାନଏୟାର୍‌ର ଏକ ବିମାନ ବାତିଲ ହେବା ପୂର୍ବରୁ ଜଣେ ଯାତ୍ରୀ ପ୍ରାୟ ୩ ଘଣ୍ଟା ଧରି ବିମାନ ଭିତରେ ଫସି ରହିଥିବା ଜଣାପଡ଼ିଛି। ସେହିପରି ଗ୍ୟାଟୱିକ୍‌ ବିମାନବନ୍ଦର ସମେତ ଅନ୍ୟ ବିମାନବନ୍ଦରରେ ମଧ୍ୟ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଅନେକ ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ବିମାନ ବାତିଲ ହେବା ସମ୍ପର୍କରେ ସେମାନଙ୍କୁ ଆଗୁଆ ସୂଚନା ମିଳିନଥିଲା। NATSର ଫ୍ଲାଇଟ୍ ପ୍ରୋସେସିଂ ସିଷ୍ଟମ୍‌ରେ ତ୍ରୁଟି ଯୋଗୁଁ British Airways, easyJet, KLM ଏବଂ Lufthansa ଭଳି ପ୍ରମୁଖ ଏୟାରଲାଇନ୍ସର ଅନେକ ବିମାନ ବାତିଲ କିମ୍ବା ବିଳମ୍ବିତ ହୋଇଥିଲା। ଏହି ବିମାନ ବିଭ୍ରାଟର ପ୍ରଭାବ ଭାରତୀୟ ଯାତ୍ରୀଙ୍କ ଉପରେ ମଧ୍ୟ ପଡ଼ିଛି। ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଜ୍ୟୁରିକ୍‌ ଦିଗକୁ ଡାଇଭର୍ଟ କରିବାକୁ ପଡ଼ିଥିଲା।

ରାୟାନଏୟାର୍‌ ପକ୍ଷରୁ କୁହାଯାଇଛି ଯେ, ଏହି ବିମାନ ବିଭ୍ରାଟରେ ୬୫ ହଜାରରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। କେତେକ ଯାତ୍ରୀଙ୍କୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବର ସାମ୍ନା କରିବାକୁ ପଡ଼ିଥିବା ମଧ୍ୟ କୁହାଯାଇଛି। ଘଟଣାକୁ ନେଇ ବ୍ରିଟେନର ପରିବହନ ସଚିବ ହେଇଡି ଆଲେକ୍ସାଣ୍ଡର ଯାତ୍ରୀମାନଙ୍କୁ ଏହି ଅସୁବିଧା ପାଇଁ କ୍ଷମା ମାଗିଛନ୍ତି। ଏଥିସହ ଘଟଣାର ତଦନ୍ତ କରାଯାଉଥିବା ନେଇ ସେ ଆଶ୍ୱାସନ ଦେଇଛନ୍ତି। NATS ପକ୍ଷରୁ ବୈଷୟିକ ତ୍ରୁଟି ସୁଧାରାଯାଇଥିବା କୁହାଯାଇଥିଲେ ମଧ୍ୟ, ବାତିଲ ଓ ବିଳମ୍ବିତ ବିମାନର ବ୍ୟାକଲଗ୍‌ ଯୋଗୁଁ ଯାତ୍ରୀ ଓ ବିମାନ ଚଳାଚଳ ଉପରେ ଏହାର ପ୍ରଭାବ ଜାରି ରହିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial