ପାଲାୱାନ୍: ଫିଲିପାଇନ୍ସର ପାଲାୱାନ୍ ପ୍ରଦେଶର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ କୋରୋନ୍ ନିକଟରେ ଏକ ଯାତ୍ରୀବାହୀ ଫେରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବୁଧବାର ସନ୍ଧ୍ୟାରେ M/V ଜୁନ୍ ଆଷ୍ଟର ନାମକ ଜାହାଜରେ ହଠାତ୍ ନିଆଁ ଲାଗିଯିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ, ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ଫିଲିପାଇନ୍ସ କୋଷ୍ଟ ଗାର୍ଡ (PCG) ଅନୁସାରେ, କୋରୋନ୍ ମ୍ୟୁନିସିପାଲିଟିର ବାରାଙ୍ଗେ ମାର୍ସିଲା ଅଞ୍ଚଳର ଉତ୍ତର-ପୂର୍ବରେ ପ୍ରାୟ ୧.୨ ନଟିକାଲ୍ ମାଇଲ୍ ଦୂରରେ ଥିବା ଜଳଭାଗରେ M/V ଜୁନ୍ ଆଷ୍ଟର ନିଆଁରେ ଜଳିଥିଲା। ଘଟଣାସ୍ଥଳର ଭିଡିଓରେ ଜାହାଜଟି ନିଆଁରେ ଘେରି ରହିଥିବା ସହ ଏଥିରୁ ଘନ ଧୂଆଁ ବାହାରୁଥିବା ଦେଖାଯାଇଛି। ନିଆଁ ଲାଗିବା ପରେ ଜରୁରୀକାଳୀନ ସେବା ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପରେ କୋଷ୍ଟ ଗାର୍ଡ ପକ୍ଷରୁ ପ୍ରାରମ୍ଭିକ ଭାବେ ୫ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଥିଲା। ମୃତଦେହଗୁଡ଼ିକୁ କୂଳକୁ ଅଣାଯାଇଥିବା ବେଳେ ଉଦ୍ଧାର ହୋଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ସୂଚନା ଅନୁସାରେ, ଜାହାଜରେ ମୋଟ ୧୧୭ ଜଣ ଯାତ୍ରୀ ଓ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ତେବେ ନିଆଁ ଲାଗିବାର କାରଣ ସମ୍ପର୍କରେ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅଗ୍ନିକାଣ୍ଡ ପରେ ଉଦ୍ଧାର ଅଭିଯାନ ଜାରି ରହିଥିବାରୁ ମୃତାହତ ଓ ନିଖୋଜଙ୍କ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ। ମେରିନ୍ଟ୍ରାଫିକ୍ର ଜାହାଜ ଟ୍ରାକିଂ ତଥ୍ୟ ଅନୁସାରେ, M/V ଜୁନ୍ ଆଷ୍ଟର ମନିଲାରୁ ଯାତ୍ରା ଆରମ୍ଭ କରିଥିଲା। ଜାହାଜରେ ନିଆଁ କିପରି ଲାଗିଲା ଏବଂ ଅଗ୍ନିକାଣ୍ଡ ସମୟରେ ଜାହାଜର ସୁରକ୍ଷା ବ୍ୟବସ୍ଥା କିପରି ଥିଲା, ସେନେଇ ତଦନ୍ତ ଆରମ୍ଭ ହେବାକୁ ଥିବା ବେଳେ ଉଦ୍ଧାର ଅଭିଯାନ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।












Leave a Reply