ମୁଜଫରନଗର: ଉତ୍ତର ପ୍ରଦେଶର ମୁଜଫରନଗରରେ ଭୟଙ୍କର ସଡ଼କ ଦୁର୍ଘଟଣା। ରୋଡୱେଜ୍ ବସ୍ ଦୁଇଟି ବାଇକ୍କୁ ଜୋରଦାର ଧକ୍କା ଦେବାରୁ ଶିଶୁକନ୍ୟା ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ବୁଢ଼ାନା କୋତୱାଲି ଅଞ୍ଚଳର ଭୈସାନା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଦୁଇଟି ବାଇକ୍ରେ ଥିବା ବ୍ୟକ୍ତିମାନେ ମୁଜଫରନଗରରୁ ବୁଢ଼ାନା ଅଭିମୁଖେ ଯାଉଥିଲେ। ଅନ୍ୟପଟେ ବଡ଼ୌତ ଡିପୋର ରୋଡୱେଜ୍ ବସ୍ଟି ବୁଢ଼ାନାରୁ ମୁଜଫରନଗର ଆସୁଥିଲା। ଭୈସାନା ଗାଁ ନିକଟରେ ବସ୍ଟି ଓଭରଟେକ୍ କରୁଥିବା ସମୟରେ ଦୁଇ ବାଇକ୍ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଶିଶୁକନ୍ୟା ସମେତ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ମୋମିନ, ଫରମାନ, ଇଦ୍ରିଶ, ଶାଜିଦ ଏବଂ ପ୍ରାୟ ଅଢ଼େଇରୁ ୩ ବର୍ଷ ବୟସର ଶିଶୁକନ୍ୟା ଭଲ୍ଲୋ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଘଟଣାର ଖବର ପାଇ ବୁଢ଼ାନା ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ପ୍ରାଥମିକ ତଦନ୍ତରୁ ବସ୍ଟି ଓଭରଟେକ୍ କରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ପୋଲିସ କହିଛି। ପୋଲିସ ରୋଡୱେଜ୍ ବସ୍କୁ ଜବତ କରିବା ସହ ମାମଲା ରୁଜୁ କରିଛି। ମୃତକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପରିବାରଗୁଡ଼ିକୁ ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇବାକୁ ଦାବି ହୋଇଛି। ଏପଟେ ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଛି।












Leave a Reply