ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ କ୍ରିୟୁ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ: ବିମାନ ଅବତରଣ ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାଧ୍ୟତାମୂଳକ ମଦ୍ୟପାନ ନିରୂପଣ ପରୀକ୍ଷା ନକରାଇବା ଅଭିଯୋଗରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଜଣ କ୍ରିୟୁ ସଦସ୍ୟଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି। ସମସ୍ତ ୮ ଜଣଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଥିବା ବେଳେ ଏହି ନିୟମ ଉଲ୍ଲଂଘନ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ଅବଗତ କରାଯାଇଛି।

ସୂଚନା ଅନୁସାରେ, ଗତ ଅଗଷ୍ଟ ୨ ତାରିଖରେ ଦୁବାଇରୁ ଅମୃତସର ଆସିଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି କ୍ରିୟୁ ସଦସ୍ୟମାନେ ଡ୍ୟୁଟିରେ ଥିଲେ। ନିୟମ ଅନୁସାରେ ବିମାନ ଅବତରଣ କରିବା ପରେ ୨ ଘଣ୍ଟା ମଧ୍ୟରେ କ୍ରିୟୁ ସଦସ୍ୟମାନଙ୍କର ମଦ୍ୟପାନ ନିରୂପଣ ପରୀକ୍ଷା କରାଇବା ବାଧ୍ୟତାମୂଳକ। କିନ୍ତୁ ଉକ୍ତ ୮ ଜଣ ସଦସ୍ୟ ୨ ଘଣ୍ଟା ୩୫ ମିନିଟ୍‌ ପରେ ନିଜର ସ୍ୱୀକୃତିପତ୍ର ଦାଖଲ କରିଥିଲେ।

ଏହାକୁ ନିୟମ ଉଲ୍ଲଂଘନ ଭାବେ ବିବେଚନା କରି ଏୟାରଲାଇନ୍ସ ପ୍ରଶାସନ ପକ୍ଷରୁ ଡିଜିସିଏକୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି। ଏଥିସହ ସମ୍ପୃକ୍ତ ୮ ଜଣ କ୍ରିୟୁ ସଦସ୍ୟଙ୍କୁ ୩ ମାସ ପାଇଁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତେବେ ପରୀକ୍ଷା କରାଯିବା ପରେ ସମସ୍ତ କ୍ରିୟୁ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ସ୍ପଷ୍ଟ ହୋଇଛି। ନିକଟରେ ଏୟାର ଇଣ୍ଡିଆର ଫୁକେଟ୍‌-ଦିଲ୍ଲୀ ବିମାନ ଉଡ଼ାଣ ସମୟରେ ଏକ ସଂବେଦନଶୀଳ ଘଟଣା ଘଟିଥିଲା। ଉଡ଼ାଣ ସମୟରେ ବିମାନଟି ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ତଳକୁ ଖସିଥିବା ଘଟଣାକୁ ନେଇ ଆକାଶମାର୍ଗ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ତଦନ୍ତ କରୁଛି। ଏହି ଘଟଣାରେ ପାଇଲଟଙ୍କ ମାରିଜୁଆନା ପରୀକ୍ଷା ପଜିଟିଭ୍‌ ଆସିଥିବା ତଥ୍ୟ ସାମ୍ନାକୁ ଆସିଥିଲା।

ଏହା ପରେ ବିମାନ କ୍ରିୟୁ ଓ ପାଇଲଟ୍‌ମାନଙ୍କ ନିଶାଦ୍ରବ୍ୟ ପରୀକ୍ଷା ପ୍ରକ୍ରିୟାକୁ ନେଇ ନିୟମ ଅଧିକ କଡ଼ା କରାଯାଇଛି। ଏୟାର ଇଣ୍ଡିଆ ଗ୍ରୁପ୍‌ ପକ୍ଷରୁ ସମସ୍ତ ପାଇଲଟଙ୍କ ପାଇଁ ନିଶାଦ୍ରବ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସେହିପରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ବାର୍ଷିକ ଭିତ୍ତିରେ ସମସ୍ତ ପାଇଲଟଙ୍କ ପାଇଁ ‘ଡୋପ୍‌ ଟେଷ୍ଟ’ ବାଧ୍ୟତାମୂଳକ କରିବା ନେଇ ନୂତନ ନୀତି ଆଣିବାକୁ ବିଚାର କରୁଥିବା ଜଣାପଡ଼ିଛି। ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷା ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial