ଅମୃତସର: ପଞ୍ଜାବର ଅମୃତସରରେ ଡ୍ୟୁଟିରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଗେଟ୍ ହାକିମା ଅଞ୍ଚଳରେ ଶୁକ୍ରବାର ଭୋର ପ୍ରାୟ ୨ଟା ୩୦ ସମୟରେ ଡ୍ୟୁଟିରେ ଥିବା ବେଳେ ୫୦ ବର୍ଷୀୟ ASI ହରଜିତ୍ ସିଂହଙ୍କ ଉପରକୁ ଅଜ୍ଞାତ ଆକ୍ରମଣକାରୀମାନେ ଅନ୍ଧାଧୁନିଆ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଆକ୍ରମଣରେ ହରଜିତଙ୍କ ଶରୀରରେ ୩ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଅମନଦୀପ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ହରଜିତ୍ ସିଂହଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡ ପଛରେ ଥିବା ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ପଞ୍ଜାବ ପୋଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଛି।
ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ହରଜିତ୍ ସିଂହଙ୍କ ସାହସିକତା ଓ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି। ସହିଦ ASIଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ଏହାସହ HDFC ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ୧ କୋଟି ଟଙ୍କାର ବୀମା ରାଶି ସହାୟତା ଭାବେ ଦିଆଯିବ।
ଅନ୍ୟପକ୍ଷରେ, ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଅମୃତସର ଗସ୍ତ କରି ଘଟଣାସ୍ଥଳ ଓ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସହିଦ ହରଜିତ୍ ସିଂହଙ୍କୁ ପୂର୍ଣ୍ଣ ପୋଲିସ ସମ୍ମାନ ସହ ଆନୁଷ୍ଠାନିକ ବିଦାୟ ଦିଆଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ଗେଟ୍ ହାକିମା ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଥିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚୁରା ଜାରି ରହିଛି। ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ପ୍ରଶାସନ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।













Leave a Reply