ଅକ୍ଷର ବ୍ୟୁରୋ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧବିମାନ LCA Mark-1Aର ହସ୍ତାନ୍ତର ପ୍ରକ୍ରିୟା ନେଇ ଆସିଛି ବଡ଼ ଅପଡେଟ୍। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ବାୟୁସେନାକୁ ଏହି ଯୁଦ୍ଧବିମାନ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରବି କେ. ସୂଚନା ଦେଇଛନ୍ତି। ବିମାନର ରାଡାର୍ ଏବଂ ଅସ୍ତ୍ରଶସ୍ତ୍ର ସଂଯୋଗ ସମ୍ପର୍କିତ ଶେଷ ପର୍ଯ୍ୟାୟ ପରୀକ୍ଷଣ ଏବେ ଚାଲିଥିବା ବେଳେ ଏହା ଆସନ୍ତା ଏକ ମାସ ମଧ୍ୟରେ ଶେଷ ହେବ ବୋଲି କୁହାଯାଇଛି।
ଭାରତୀୟ ବାୟୁସେନାର ଯୁଦ୍ଧବିମାନ ସ୍କ୍ୱାଡ୍ରନ୍ ସଂଖ୍ୟା ହ୍ରାସ ପାଉଥିବା ସମୟରେ HALକୁ ମୋଟ ୧.୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୮୦ଟି LCA Mark-1A ନିର୍ମାଣ ପାଇଁ ଦୁଇଟି ଅର୍ଡର୍ ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷରେ ବାୟୁସେନାକୁ ୧୦ଟି ଯୁଦ୍ଧବିମାନ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆମେରିକାର GE Aerospace ପକ୍ଷରୁ ୧୦ଟି ଇଞ୍ଜିନ୍ ମିଳିସାରିଥିବା ସୂଚନା ମିଳିଛି।
ପୂର୍ବରୁ ଆମେରିକାରୁ ଇଞ୍ଜିନ୍ ଯୋଗାଣରେ ବିଳମ୍ବ ହେବା କାରଣରୁ ମାର୍ଚ୍ଚ ୨୦୨୪ ସୁଦ୍ଧା ହସ୍ତାନ୍ତର ହେବାକୁ ଥିବା ପ୍ରଥମ LCA Mark-1A ବିମାନର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ତେବେ HALର ବାର୍ଷିକ ୨୪ଟି ଯୁଦ୍ଧବିମାନ ନିର୍ମାଣ କ୍ଷମତା ରହିଥିବାରୁ ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ସମସ୍ତ ବିମାନ ଯୋଗାଣ ଶେଷ କରାଯିବ ବୋଲି ଆଶା କରାଯାଉଛି। ଏହାସହ ୨୦୨୫ର ଅର୍ଡର୍ ଅଧୀନରେ ନିର୍ମାଣ ହେବାକୁ ଥିବା ୯୭ଟି LCA Mark-1Aରେ ସ୍ୱଦେଶୀ ଆଡଭାନ୍ସଡ୍ ରାଡାର୍ ସହ ‘ସ୍ୱୟଂ ରକ୍ଷା କବଚ’ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସିଷ୍ଟମ୍ ବ୍ୟବହାର କରାଯିବ। ଏହା ଭାରତୀୟ ଯୁଦ୍ଧବିମାନରେ ସ୍ୱଦେଶୀ ପ୍ରଯୁକ୍ତିର ବ୍ୟବହାରକୁ ଆହୁରି ବଢ଼ାଇବ। ଅନ୍ୟପକ୍ଷରେ, ଅଧିକ ଆଧୁନିକ LCA Mark-2 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ଏହି ଯୁଦ୍ଧବିମାନର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ୨୦୨୭ ଶେଷ ସୁଦ୍ଧା କରାଯିବାକୁ ଲକ୍ଷ୍ୟ ରଖାଯାଇଛି।













Leave a Reply