ଅକ୍ଷର ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଓ ବୃଷ୍ଟିପାତର ଅଭାବ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ମରୁଡ଼ି ସମସ୍ୟା ଗମ୍ଭୀର ରୂପ ନେଉଛି। ଗୋଟିଏ ପଟେ ଦୀର୍ଘଦିନ ଧରି ବର୍ଷା ଅଭାବ ଯୋଗୁଁ ମହାରାଷ୍ଟ୍ରରେ ୨୬୫ ତହସିଲ୍କୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଇଛି। ଅନ୍ୟପଟେ ୫୨ ବର୍ଷର ଜଳବାୟୁ ଗବେଷଣା ରିପୋର୍ଟରୁ ଦକ୍ଷିଣ ଭାରତରେ ମରୁଡ଼ି ପ୍ରଭାବିତ ଅଞ୍ଚଳ ଦ୍ରୁତ ଗତିରେ ବଢୁଥିବା ତଥ୍ୟ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ସରକାର ଶନିବାର ରାଜ୍ୟର ମୋଟ ୩୫୮ ତହସିଲ୍ ମଧ୍ୟରୁ ୨୬୫ଟି ତହସିଲ୍କୁ ମରୁଡ଼ି ଅଞ୍ଚଳ ଘୋଷଣା କରିଛନ୍ତି। ଅର୍ଥାତ୍ ରାଜ୍ୟର ପ୍ରାୟ ତିନି-ଚତୁର୍ଥାଂଶ ଅଞ୍ଚଳ ଏହି ସଙ୍କଟରେ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବର୍ଷା ଅଭାବ ଥିବା ଅଞ୍ଚଳ ପରିଦର୍ଶନ କରିବା ପରେ ସରକାରଙ୍କ ପକ୍ଷରୁ ଏହି ମରୁଡ଼ି ବିଜ୍ଞପ୍ତି ଜାରି ହୋଇଛି।
କୃଷି କମିଶନରଙ୍କ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରୁ ଲଗାତାର ୨୧ ଦିନରୁ ଅଧିକ ସମୟ ଧରି ବର୍ଷା ନହେବାରୁ ଏହି ୨୬୫ ତହସିଲ୍ରେ ଗମ୍ଭୀର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ମରୁଡ଼ି ଘୋଷଣା ପରେ ପ୍ରଭାବିତ ଚାଷୀଙ୍କ ପାଇଁ ଜମି ରାଜସ୍ୱ ଛାଡ଼, କୃଷି ଋଣର ପୁନର୍ଗଠନ ଏବଂ ଋଣ ଆଦାୟ ଉପରେ ସ୍ଥଗିତାଦେଶ ଭଳି ରିହାତି ବ୍ୟବସ୍ଥା ଲାଗୁ କରାଯାଇଛି। ଏଥିସହ ଜିଲ୍ଲାପାଳମାନଙ୍କୁ ଜିପିଏସ୍ ଆଧାରିତ ଫଟୋଗ୍ରାଫ୍ ମାଧ୍ୟମରେ କ୍ଷତିଗ୍ରସ୍ତ ଫସଲର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫସଲ କ୍ଷୟକ୍ଷତିର ଆକଳନ ଶେଷ ହେବା ପରେ ଚାଷୀଙ୍କ ପାଇଁ କ୍ଷତିପୂରଣ ଓ ଆର୍ଥିକ ସହାୟତା ଘୋଷଣା କରାଯିବ। ସେପଟେ ‘ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ କ୍ଲାଇମେଟୋଲୋଜି’ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଦକ୍ଷିଣ ଭାରତର ମରୁଡ଼ି ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି। ୧୯୭୧ରୁ ୨୦୨୨ ପର୍ଯ୍ୟନ୍ତ ୫୨ ବର୍ଷର ତଥ୍ୟକୁ ଆଧାର କରି କରାଯାଇଥିବା ଅଧ୍ୟୟନରେ ୨୦୦୦ ମସିହା ପରଠାରୁ ଦକ୍ଷିଣ ଭାରତରେ ମରୁଡ଼ି ଘଟଣା ବାରମ୍ବାର ଦେଖାଦେଉଥିବା କୁହାଯାଇଛି। ଜାତୀୟ ମଧ୍ୟମ ଧରଣର ପାଣିପାଗ ପୂର୍ବାନୁମାନ କେନ୍ଦ୍ର (NCMRWF), ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଆଟ୍ରିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଗବେଷଣା ଅନୁଯାୟୀ, ଗତ ୫୦ ବର୍ଷରେ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ତୁଳନାରେ ମରୁଡ଼ି ଅଧିକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି।
ବିଶେଷକରି ତାମିଲନାଡୁ ମରୁଡ଼ି ସଙ୍କଟରେ ଅଧିକ ପ୍ରଭାବିତ ହେଉଛି। ଉତ୍ତର-ପୂର୍ବ ମୌସୁମୀ ବାୟୁ ବିଫଳ ହେଲେ ରାଜ୍ୟରେ ଜଳ ସଙ୍କଟ ଗମ୍ଭୀର ହୋଇପଡ଼ୁଛି। ୨୦୧୬ରେ ବର୍ଷା ଅଭାବ ଯୋଗୁଁ ତାମିଲନାଡୁର ସମସ୍ତ ୩୨ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇଥିଲା। ଏଲ୍ନିନୋ ପ୍ରଭାବ ଯୋଗୁଁ ୨୦୨୭ ପର୍ଯ୍ୟନ୍ତ ଜଳସଙ୍କଟ ଜାରି ରହିପାରେ ବୋଲି ପରାମର୍ଶଦାତା କମିଟି ସତର୍କ କରିଛି। ଏହି ପରିସ୍ଥିତିରେ କମ୍ ପାଣି ଆବଶ୍ୟକ କରୁଥିବା, କମ୍ ସମୟରେ ଅମଳ ହେଉଥିବା ଏବଂ ମରୁଡ଼ି ସହିପାରୁଥିବା ଫସଲ ଚାଷ କରିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଉଛି।













Leave a Reply