କିନ୍ଶାସା: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଘଟିଛି ଭୟାବହ ବିମାନ ଦୁର୍ଘଟଣା। ଦକ୍ଷିଣ-ପଶ୍ଚିମ ସହର କିକ୍ୱିଟ୍ରୁ ରାଜଧାନୀ କିନ୍ଶାସା ଅଭିମୁଖେ ଯାଉଥିବା ଏକ Let L-410 ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ଥିବା ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଙ୍ଗୋର ସାମରିକ ନ୍ୟାୟ ବ୍ୟବସ୍ଥାର ଦୁଇ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି।
କଙ୍ଗୋ ସାମରିକ କର୍ତ୍ତୃପକ୍ଷଙ୍କ ଅନୁସାରେ, ମୃତକଙ୍କ ମଧ୍ୟରେ ହାଇ ମିଲିଟାରୀ କୋର୍ଟର ପ୍ରଥମ ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ ଜୋସେଫ୍ ମୁଟୋମ୍ବୋ କାଟାଲାୟି ଟିଏଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ୍ ଲେଫ୍ଟନାଣ୍ଟ ଜେନେରାଲ୍ ଲୁସିଏନ୍-ରେନେ ବାକୁମି ଲିକୁଲିଆ ରହିଛନ୍ତି। ଦୁଇ ଜେନେରାଲ୍ କିକ୍ୱିଟ୍ରେ ଏକ ସରକାରୀ କାର୍ଯ୍ୟ ଶେଷ କରି ଫେରୁଥିଲେ। ସୂଚନା ଅନୁସାରେ, 9S-GUC ପଞ୍ଜୀକରଣ ନମ୍ବର ଥିବା ବିମାନଟି ସ୍ଥାନୀୟ ସମୟ ପ୍ରାୟ ଦିନ ୧ଟା ୫୦ ମିନିଟ୍ରେ କିକ୍ୱିଟ୍ରୁ କିନ୍ଶାସାର N’Dolo ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ସମୟରେ ବିମାନରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ପାଇଲଟ୍ କ୍ୱାଙ୍ଗୋ ପ୍ରଦେଶର କେଙ୍ଗେ ଅଞ୍ଚଳରେ ଜରୁରୀ ଅବତରଣ ପାଇଁ ଉଦ୍ୟମ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଖୋଜିବାକୁ ବିମାନଟି କିଛି ସମୟ ଆକାଶରେ ଘୂରିଥିଲା। ଏହାପରେ ପ୍ରାୟ ୨ଟା ୫ ମିନିଟ୍ରେ ମାନଜାଓ ଅଞ୍ଚଳର ଏକ ଆବାସିକ ସ୍ଥାନରେ ବିମାନଟି ଖସିପଡ଼ିଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କଙ୍ଗୋ ସେନା ଓ ଦେଶର ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ଓ ପରିସ୍ଥିତି ଜାଣିବା ପାଇଁ କଙ୍ଗୋ ରାଷ୍ଟ୍ରପତି ଫେଲିକ୍ସ ଶିସେକେଡି ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।













Leave a Reply