ମଣ୍ଟ୍ରିଆଲ୍: କାନାଡାର ମଣ୍ଟ୍ରିଆଲ୍ ସହର ନିକଟରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମଣ୍ଟ୍ରିଆଲ୍ଠାରୁ ପ୍ରାୟ ୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ସେଣ୍ଟ-ବ୍ରିଜିଡ୍-ଡି’ଇବରଭିଲ୍ ଅଞ୍ଚଳରେ ଦିନ ପ୍ରାୟ ୨ଟା ୩୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିବା କ୍ୟୁବେକ୍ ପ୍ରାଦେଶିକ ପୁଲିସ କହିଛି।
ପୁଲିସର ସୂଚନା ଅନୁସାରେ, ଦୁର୍ଘଟଣା ପୂର୍ବରୁ ହେଲିକପ୍ଟରରେ କିଛି ସମସ୍ୟା ଦେଖାଦେଇଥିଲା। ଏହାପରେ ହେଲିକପ୍ଟରଟି ଏକ କ୍ଷେତରେ ଖସିପଡ଼ିବା ସହ ଏଥିରେ ନିଆଁ ଲାଗିଯାଇଥିଲା। ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ତେବେ ହେଲିକପ୍ଟରରେ ଥିବା ସମସ୍ତ ୪ ଜଣଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ପ୍ରାଥମିକ ସୂଚନା ଅନୁସାରେ ଏହା ଏକ ଘରୋଇ ହେଲିକପ୍ଟର ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। କ୍ୟୁବେକ୍ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କାନାଡାର ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ମଧ୍ୟ ତଦନ୍ତକାରୀ ଦଳ ପଠାଇଛି।
ଯୋସେମିଟିରେ ମଧ୍ୟ ହେଲିକପ୍ଟର ଦୁର୍ଘଟଣା
ଏହାର କିଛି ଦିନ ପୂର୍ବରୁ ଆମେରିକାର ଯୋସେମିଟି ନ୍ୟାସନାଲ୍ ପାର୍କରେ ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିଲା। ହେଲିକପ୍ଟରଟି ‘ଡୋମ୍ ଫାୟାର୍’ ନିୟନ୍ତ୍ରଣ ପାଇଁ ପାଣି ପକାଇବା କାର୍ଯ୍ୟରେ ନିୟୋଜିତ ଥିଲା। ଉଭୟ ପାଇଲଟ୍ ‘ପ୍ରିସିଜନ୍’ରେ କାର୍ଯ୍ୟରତ ଥିଲେ। ମୃତ ପାଇଲଟ୍ଙ୍କ ମଧ୍ୟରୁ ଜଣେ ଥିଲେ ଗ୍ରେଗ୍ କିଙ୍ଗ୍। ସେ ପୂର୍ବରୁ ଆଲାସ୍କା ଡିଭିଜନ୍ ଅଫ୍ ଫରେଷ୍ଟ୍ରି ଆଣ୍ଡ ଫାୟାର ପ୍ରୋଟେକ୍ସନ୍ ସହ କାମ କରିଥିଲେ ଏବଂ ଜଙ୍ଗଲ ନିଆଁ ନିର୍ବାପଣରେ ତାଙ୍କର ଅଭିଜ୍ଞତା ଥିଲା। ପରେ ସେ ପ୍ରିସିଜନ୍ ହେଲିକପ୍ଟର୍ସରେ ଯୋଗ ଦେଇଥିଲେ। ଏହି ଦୁର୍ଘଟଣାରେ ଦ୍ୱିତୀୟ ପାଇଲଟ୍ ରିଆନ୍ କଟରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ପରେ ତାଙ୍କ ପରିଚୟ ସାମ୍ନାକୁ ଆସିଛି। ଯୋସେମିଟି ଦୁର୍ଘଟଣାର କାରଣ ନେଇ FAA ଓ NTSB ତଦନ୍ତ କରୁଛନ୍ତି।













Leave a Reply