ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନରେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଘଟଣା ପଛରେ ଥିବା ଉଦ୍ଦେଶ୍ୟ କେବଳ ବିମାନର ନିୟନ୍ତ୍ରଣ ନେବାରେ ସୀମିତ ନଥିଲା। ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ଥିବା ନେଇ ତଦନ୍ତରୁ ତଥ୍ୟ ସାମ୍ନାକୁ ଆସିଥିବା ରିପୋର୍ଟରେ ଦାବି କରାଯାଇଛି। ତେବେ ଘଟଣାର ସମସ୍ତ ଦିଗ ଓ ଉଦ୍ଦେଶ୍ୟକୁ ନେଇ ତଦନ୍ତ ଏବେ ମଧ୍ୟ ଜାରି ରହିଛି।
ରିପୋର୍ଟ ଅନୁସାରେ, ଘଟଣାରେ ଜଡ଼ିତ ସହ-ପାଇଲଟ୍ ହମାମ ଅଲ୍-ହମାମିଙ୍କ ଉଦ୍ଦେଶ୍ୟ କ୍ୟାପ୍ଟେନ୍ ସ୍ମିତଙ୍କୁ ଆକ୍ରମଣ କରି ବିମାନର ନିୟନ୍ତ୍ରଣ ନେବା ଥିଲା। ପରବର୍ତ୍ତୀ ସମୟରେ ବିମାନକୁ ତେଲ୍ ଆଭିଭ୍ ପର୍ଯ୍ୟନ୍ତ ନେଇଯାଇ ବଡ଼ ଆକ୍ରମଣ ଘଟାଇବାର ଯୋଜନା ଥିବା ନେଇ ମଧ୍ୟ ରିପୋର୍ଟରେ ଦାବି ହୋଇଛି। ତେବେ ଏହି ଦାବିଗୁଡ଼ିକ ତଦନ୍ତାଧୀନ ଥିବାରୁ ଏନେଇ ଚୂଡ଼ାନ୍ତ ନିଷ୍କର୍ଷ ଆସିନାହିଁ। ଗତ ୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନର କକ୍ପିଟ୍ରେ ଏହି ଘଟଣା ଘଟିଥିଲା। UAE କର୍ତ୍ତୃପକ୍ଷଙ୍କ ଅନୁସାରେ, ସହ-ପାଇଲଟ୍ କକ୍ପିଟ୍ରେ ଥିବା ଏକ କ୍ରାସ୍ ଆକ୍ସ ସାହାଯ୍ୟରେ କ୍ୟାପ୍ଟେନ୍ ସ୍ମିତଙ୍କୁ ଆକ୍ରମଣ କରି ବିମାନର ନିୟନ୍ତ୍ରଣ ନେବାକୁ ଉଦ୍ୟମ କରିଥିଲେ।
UAEର ପ୍ରସିକ୍ୟୁଟର ଜେନେରାଲ୍ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବୋଲି କହିଛନ୍ତି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଘଟଣାକୁ ଆତଙ୍କୀ ଆକ୍ରମଣ ବୋଲି କହିଛି। ତେବେ ଏହି ଘଟଣାର ପ୍ରକୃତ ଉଦ୍ଦେଶ୍ୟ, ଆକ୍ରମଣ ପଛର କାରଣ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ତଦନ୍ତ ଚାଲିଛି। ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍ ସ୍ମିତ କକ୍ପିଟ୍ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାପରେ ଅନ୍ୟମାନେ କକ୍ପିଟ୍ରେ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ପରେ ବିମାନଟିକୁ ସାଉଦି ଆରବର ତାବୁକରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ଘଟଣା ପରେ ଆଉ ଏକ ପ୍ରଶ୍ନ ଉଠିଛି—ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସହ-ପାଇଲଟ୍ଙ୍କୁ କିପରି ଉଡ଼ାଣ ପାଇଁ ଅନୁମତି ମିଳିଲା? ଏହାକୁ ନେଇ ମଧ୍ୟ ତଦନ୍ତ ଓ ଚର୍ଚ୍ଚା ଜାରି ରହିଛି। ତେବେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ତତ୍ପରତା ଓ ସାହସ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିପାରିଥିଲା। ଫଳରେ ବିମାନରେ ଥିବା ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଉଛି। ଏବେ ଏହି ଘଟଣାର ପୂରା ରହସ୍ୟ ଉପରୁ ପରଦା ହଟାଇବା ପାଇଁ ତଦନ୍ତ ଜାରି ରହିଛି।













Leave a Reply