କେନ୍ଦ୍ରାପଡ଼ା: ଦୁର୍ଗାପୂଜା ଉତ୍ସବରେ ମୁଖରିତ ରାଜନଗରରେ ଏବେ ମା’ଙ୍କୁ ମେଲାଣି ଦେବାର ପାଳି। ଆଜି ହଂସୁଆ ନଦୀରେ ଚାପ ଖେଳି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା। ରାଜନଗରର ଏହି ନିଆରା ଜଳପଥ ଭସାଣି ପରମ୍ପରା ସାରା ଓଡ଼ିଶାରେ ବିରଳ। ରାଜରାଜୁଡ଼ା ଅମଳରୁ ଦୀର୍ଘ ୨୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ପରମ୍ପରା ଚାଲିଆସୁଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
ପରମ୍ପରା ଅନୁଯାୟୀ, ଗୋପାଳ ସମ୍ପ୍ରଦାୟର ଲୋକେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରାଇବା ପରେ ହଂସୁଆ ନଦୀ କୂଳରେ ପହଞ୍ଚାଇବେ। ଘଣ୍ଟଘଣ୍ଟା, ପାରମ୍ପରିକ ବାଦ୍ୟ, ହରିବୋଲ ଓ ହୁଳହୁଳି ଧ୍ୱନିରେ ମା’ଙ୍କୁ ଭାବବିହ୍ୱଳ ବିଦାୟ ଦିଆଯିବ। ଏହାପରେ ନଦୀରେ ପୂର୍ବରୁ ସଜ୍ଜିତ ହୋଇ ରହିଥିବା ନୌକାରେ ମା’ଙ୍କୁ ବିରାଜମାନ କରାଯିବ। ଏହି ଅନନ୍ୟ ଭସାଣି ଉତ୍ସବରେ କେବଳ ମା’ ଦୁର୍ଗା ନୁହନ୍ତି, ବରଂ ବନଦୁର୍ଗା, ମା’ ଶାରଳା ଓ ମା’ ଗଙ୍ଗାମାତାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ମଧ୍ୟ ସୁସଜ୍ଜିତ ନୌକାରେ ଚାପ ଖେଳ ମାଧ୍ୟମରେ ମେଲାଣି ଦିଆଯିବ। ହଂସୁଆ ନଦୀର ପ୍ରାୟ ଏକ କିଲୋମିଟର ଜଳପଥରେ ନୌକା ସାତ ଘେରା ଚାପ ଖେଳିବା ପରେ ମା’ଙ୍କୁ ବିଦାୟ ଦେବାର ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥାଏ।
ନଦୀ ମଧ୍ୟରେ ଭଜନ, କୀର୍ତ୍ତନ ଓ ପାରମ୍ପରିକ ବାଦ୍ୟର ଧ୍ୱନି ସମଗ୍ର ପରିବେଶକୁ ଆଧ୍ୟାତ୍ମିକ କରିଦିଏ। ନଦୀ କୂଳରେ ଉପସ୍ଥିତ ହଜାର ହଜାର ଭକ୍ତ ଏହି ଅପୂର୍ବ ଦୃଶ୍ୟର ସାକ୍ଷୀ ହୁଅନ୍ତି। ଅନ୍ୟ ସ୍ଥାନରେ ସାଧାରଣ ଭସାଣି ଶୋଭାଯାତ୍ରା ଦେଖିବାକୁ ମିଳୁଥିବା ବେଳେ ରାଜନଗରରେ ଜଳପଥରେ ସାତ ଘେରା ଚାପ ଖେଳି ମା’ଙ୍କୁ ମେଲାଣି ଦେବାର ପରମ୍ପରା ଏହାକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ରାଜରାଜୁଡ଼ା ଅମଳରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ମଧ୍ୟ ରାଜନଗରବାସୀଙ୍କ ମଧ୍ୟରେ ଜୀବନ୍ତ ରହିଛି। ଆସ୍ଥା, ପରମ୍ପରା ଓ ସାମୂହିକ ଭକ୍ତିର ଏହି ଅନନ୍ୟ ସମାଗମ ହଂସୁଆ ନଦୀର ଚାପ ଖେଳ ଭସାଣିକୁ ଓଡ଼ିଶାର ଏକ ବିଶେଷ ଧାର୍ମିକ ଆକର୍ଷଣରେ ପରିଣତ କରିଛି।












Leave a Reply