ଗଞ୍ଜାମ: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଛତ୍ରପୁରର ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାକୁ ଯିବା ଉପରେ କଟକଣା ଲଗାଯାଇଛି। ଏଥିସହ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା କୂଳକୁ ଫେରିଆସିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଆଜି ସୁଦ୍ଧା ସୁରକ୍ଷିତ ଭାବେ କୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ରହିଛି। ଏହାସହ ଡଙ୍ଗା, ଜାଲ ଓ ମାଛ ଧରିବାରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି।
ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ‘ସାଗର ମିତ୍ର’ଙ୍କ ଜରିଆରେ ମାଇକ୍ ଯୋଗେ ପ୍ରଚାର କରାଯାଇ ମତ୍ସ୍ୟଜୀବୀ ଓ ଉପକୂଳବାସୀଙ୍କୁ ସଚେତନ କରାଯାଇଛି। ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ନେଇ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ପାଣିପାଗ ସମ୍ପର୍କିତ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଆଗାମୀ ଦିନରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ। ତେଣୁ ଉପକୂଳବାସୀଙ୍କୁ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ସରକାରୀ ସୂଚନା ଉପରେ ନଜର ରଖିବା ସହ ଜାରି ହେଉଥିବା ସତର୍କତା ଓ ନିର୍ଦ୍ଦେଶକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।













Leave a Reply