ମହାନଦୀରେ ବୁଡ଼ି ମୃତ୍ୟୁ ପରେ ପୁଣି ଅଘଟଣ; ଦୋଳିର ସୁରକ୍ଷା ଓ ଫିଟନେସ୍ କାଗଜପତ୍ର ଯାଞ୍ଚ କରୁଛି କମିଶନରେଟ୍ ପୋଲିସ।

କଟକ: ପୁଣି ବାଲିଯାତ୍ରାରେ ଅଘଟଣ। କଟକ ବାଲିଯାତ୍ରା ତଳ ପଡ଼ିଆରେ ରାମ ଦୋଳିରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାଲିଯାତ୍ରାର ତୃତୀୟ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। କଟକ ଇନ୍ କଟକ ପରିସର ନିକଟରେ ଥିବା ରାମ ଦୋଳିରୁ ଯୁବକ ଜଣକ ଖସି ପଡ଼ିଥିବା ସୂଚନା ମିଳିଛି। ଦୋଳିରୁ ପଡ଼ିବା ପରେ ଯୁବକଙ୍କୁ ମେଳା ପଡ଼ିଆରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲ୍‌ (ଏସସିବି)କୁ ସ୍ଥାନାନ୍ତର କରାଯାଇଥିଲା। ଏସସିବିରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ।

ଯୁବକ ଜଣକ କେଉଁ ପରିସ୍ଥିତିରେ ଦୋଳିରୁ ଖସି ପଡ଼ିଲେ, ଏଥିରେ କୌଣସି ତ୍ରୁଟି ଥିଲା କି ନାହିଁ ଏବଂ ଦୋଳିର ଫିଟନେସ୍ ସମ୍ପର୍କିତ କାଗଜପତ୍ର ଠିକ୍ ଅଛି କି ନାହିଁ, ସେନେଇ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ୨୫ ତାରିଖରେ ବାଲିଯାତ୍ରା ତଳ ପଡ଼ିଆ ମହାନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ମେଳା ପଡ଼ିଆରେ ଦୋଳି ଦୁର୍ଘଟଣାରେ ଜୀବନହାନି ଘଟିବା ପରେ ବାଲିଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial