କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପୁଣି ହାତୀପଲଙ୍କ ଉପଦ୍ରବ। ଦୀର୍ଘଦିନର ବ୍ୟବଧାନ ପରେ ପାଟଣା ବନାଞ୍ଚଳରେ ୨୯ ଟିକିଆ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନାଞ୍ଚଳରୁ ହାତୀପଲ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ସାହାରପଡ଼ା ସେକ୍ସନକୁ ପ୍ରବେଶ କରିଥିଲେ। ଏହାପରେ କୁଚେଇବେଡ଼ା ଓ ଖଡ଼ିକାପଦା ଗାଁରେ ପଶି ଦୁଇଟି ଘର ଭାଙ୍ଗିବା ସହ ଘରେ ରଖାଯାଇଥିବା ଧାନ ଓ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି। ହାତୀପଲଙ୍କ ଏହି ଉପଦ୍ରବରେ ଦୁଇଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ସୁରକ୍ଷିତ ରହିଯାଇଛନ୍ତି। ହଠାତ୍ ଗାଁ ଭିତରକୁ ହାତୀପଲ ପଶି ଆସିବା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବର୍ତ୍ତମାନ ଏହି ୨୯ ଟିକିଆ ହାତୀପଲ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲରେ ରହି ବୁଲୁଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ହାତୀଙ୍କ ନିକଟକୁ ନଯିବା ସହ ଜଙ୍ଗଲକୁ ଯିବା ସମୟରେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି। ଦୀର୍ଘଦିନ ପରେ ପାଟଣା ବନାଞ୍ଚଳକୁ ପୁଣି ୨୯ ଟିକିଆ ହାତୀପଲ ଫେରିଥିବାରୁ ଆଖପାଖ ଗାଁର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ହାତୀପଲଙ୍କ ଗତିବିଧି ଓ ସମ୍ଭାବ୍ୟ କ୍ଷୟକ୍ଷତି ଉପରେ ବନ ବିଭାଗର ନଜର ରହିଛି।











Leave a Reply