ଆଗକୁ ଆସୁଛି ଲଘୁଚାପ: ସାତଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଆସୁଛି ବଡ଼ ବର୍ଷା । ଓଡ଼ିଶାରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ରୁ ୩୧ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶାରେ ବର୍ଷାର ପ୍ରଭାବ ବେଶୀ ରହିବ ଏବଂ ଅନ୍ୟ କିଛି କିଛି ସ୍ଥାନରେ ବର୍ଷା ହେବ । ତେବେ ଆଗାମୀ ସାତଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳ ବୈଶାଖୀର ପ୍ରଭାବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଉତ୍ତର ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହି ସମୟରେ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅସ୍ତବ୍ୟସ୍ତ କରିବ । ହଟ ଓ ହ୍ୟୁମିଡ କଣ୍ଡିସନ ପାଇଁ ଉପକୂଳ ଓଡିଶାର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଆଜି ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଫଳରେ ତାପମାତ୍ରା ସହ ଗୁଳୁଗୁଳି ମଧ୍ୟ ସାମାନ୍ୟ ହ୍ରାସ ପାଇବ । ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ଲଘୁଚାପ ଯୋଗୁଁ ଆରବ ସାଗରରେ ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ ଅଧିକ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି । ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ କେରଳ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)