ଏଣିକି ଶ୍ରୀମନ୍ଦିରର ଚାରିଦ୍ୱାର ନିକଟରେ ଡ୍ୟୁଟି କରୁଥିବା ପୁଲିସମାନଙ୍କ ପୋଷାକରେ ଲାଗିବ କ୍ୟାମେରା, ଅଣସେବାୟତ ଭକ୍ତମାନଙ୍କୁ ଜଗିବ ଏହି କ୍ୟାମେରା ।

ଏଣିକି ଶ୍ରୀମନ୍ଦିରକୁ ଆଉ ସେବାୟତ ବେଶରେ ଅଣସେବାୟତ ଭକ୍ତମାନଙ୍କୁ ନେଇ ଯାଇପାରିବେ ନାହିଁ। କିମ୍ବା କୌଣସି ପୁଲିସ ଓ ଜେଟିପି ପକେଟ ଗରମ କରିବା ପାଇଁ ଗଳା ବାଟରେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇପାରିବେ ନାହିଁ। ଏସ୍‌ପି ପ୍ରତୀକ ସିଂ ଅପରାଧ ନିୟନ୍ତ୍ରଣ ପାଇଁ କିଛି ସ୍ୱତନ୍ତ୍ର କରିବାକୁ ଯୋଜନା ରଖିଛନ୍ତି। ଏହି ମର୍ମରେ ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତମାନଙ୍କ ଠାରୁ ଉତ୍କୋଚ ନେଇ ଘଳିଆ ବାଟରେ ଛାଡୁଥିବା ପୁଲିସଙ୍କୁ ସାବାଡ଼ କରିବା ପାଇଁ ପୁଲିସ ଛାତିରେ କ୍ୟାମେରା ଲଗାଇଛନ୍ତି। ଏଣିକି ଶ୍ରୀମନ୍ଦିରର ଚାରିଦ୍ୱାର ନିକଟରେ ଡ୍ୟୁଟି କରୁଥିବା ପୁଲିସମାନେ ସେମାନଙ୍କ ପୋଷାକର ଛାତି ପାଖରେ ନୂଆ କୌଶଳର କ୍ୟାମେରା ଲଗାଇବେ।

ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତମାନଙ୍କ ଚିତ୍ର ଏହି କ୍ୟାମେରାରେ କଏଦ ହେବା ସହ ସେଠାରେ ହେଉଥିବା ବାର୍ତ୍ତାଳପ ମଧ୍ୟ ରେକର୍ଡ ହୋଇଯିବ। ଏହି କ୍ୟାମେରାରେ ରେକର୍ଡିଂ ହେଉଥିବା ସମସ୍ତ ତଥ୍ୟ କ୍ୟାମେରାରେ ଷ୍ଟୋର ହୋଇ ରହିବ। ଆବଶ୍ୟକ ପଡ଼ିଲେ ପୁଲିସ ସେହି ତଥ୍ୟକୁ ଆଧାର କରି ତଦନ୍ତ ଆଗେଇ ନେଇପାରିବ ବୋଲି ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଏହି କ୍ୟାମେରା ଆଗାମୀ ଦିନରେ ଶ୍ରୀମନ୍ଦିରର ସୁରକ୍ଷା ସମ୍ପର୍କରେ ଗୁରୁତ୍ବ ବହନ କରିବ। ସେହିପରି ଭକ୍ତମାନଙ୍କ ପ୍ରତି ପୁଲିସର ବ୍ୟବହାର ମଧ୍ୟ ରେକର୍ଡିଂ ହୋଇରହିବ। କ୍ୟାମେରା ଅଣସେବାୟତମାନଙ୍କ ପ୍ରତି କଡ଼ା ନଜର ରଖିବା ସହ ପୁଲିସର ଦୁର୍ବ୍ୟବହାର ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)