କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା; ପବନର ବେଗ ୧୦୦ରୁ ୧୧୦ କିମି ରହିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଅକ୍ଷର ବ୍ୟୁରୋ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି ବାତ୍ୟା । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୧୦୦କିଲୋମିଟର, କାକିନାଡାଠୁ ୧୮୦କିମି, ଗୋପାଳପୁରଠୁ ୫୦୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି ।

ରାଜଧାନୀ ଭୁବନେଶ୍ୱରରେ ବି ବାତ୍ୟାର ପ୍ରଭାବରେ ସକାଳୁ ଅଳ୍ପ ବହୁତ ଦେଖିବାକୁ ମିଳିଥିଲା । ଏହାପରେ ଅଚାନକ ଅପରାହ୍ଣରେ ରାଜଧାନୀକୁ ଢାଙ୍କି ଦେଇଥିଲା କଳା ବାଦଲ । କଳା ମେଘ ବାଦଲରେ ଅନ୍ଧାର ହୋଇଛି ପୂରା ଭୁବନେଶ୍ୱର । ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି । ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)