ଅକ୍ଷର ବ୍ୟୁରୋ: ମହିଳା ସଂରକ୍ଷଣକୁ ନେଇ ଆସନ୍ତା ୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ମାତ୍ର ଗୋଟିଏ ଦିନ ବସିବ ଏହି ସ୍ୱତନ୍ତ୍ର ଅଧିବେଶନ । ଏହି ଦିନ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ । ସମ୍ବିଧାନର ଧାରା ୧୭୪ ଉପଧାରା ଏକ ଆଧାରରେ ଏହି ଅଧିବେଶନ ଡକାଯାଇଛି । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି । ଏହି ଅଧିବେଶନରେ ସବୁ ବିଧାୟକମାନେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଦେଶର ମୋଟ ଜନସଂଖ୍ୟାର ୫୦ ଭାଗ ହେଉଛନ୍ତି ମହିଳା । ଏଣୁ ମହିଳାଙ୍କୁ ସେମାନଙ୍କ ଭାଗିଦାରୀ ମିଳିବା ଉଚିତ୍ ବୋଲି ଦାବି କରୁଛି ବିଜେପି । ଏଣୁ ସ୍ୱତନ୍ତ୍ର ଅଧିବେଶନରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ ।
ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଗତ ଏପ୍ରିଲ ୧୬ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ବିଲ୍ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ଥିଲା । ପ୍ରଧାନମନ୍ତ୍ରୀଙ୍କ ନିବେଦନ ଓ ସରକାରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ବିଲ୍ କାଟ୍ ଖାଇଥିଲା । ଏଥିସହିତ ଆଗତ ହୋଇଥିବା ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ସମ୍ବିଧାନ ସଂଶୋଧିତ ବିଲ୍ ମଧ୍ୟ ଆଗତ କରାଯାଇଥିଲା । କିନ୍ତୁ, ମହିଳା ବିଲ୍ କାଟ୍ ଖାଇବା ଦେଖି ସରକାର ତାହାକୁ ଫେରାଇ ନେଇଥିଲେ । ତେବେ ମହିଳା ସଂରକ୍ଷଣ ବିଲ୍ କୁ ପାରିତ ନ ହେବାରୁ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଇଛନ୍ତି । ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ନିର୍ବାଚନୀ ପ୍ରଚାର ସହ ସବୁ ରାଜ୍ୟରେ ବିଜେପି ଏହାକୁ ନେଇ ବିରୋଧୀ ଦଳକୁ ଦାୟୀ କରି ବିକ୍ଷୋଭ କରିଛି । ଓଡ଼ିଶାରେ ମଧ୍ୟ ବିଜେପି ମହିଳା ସଂରକ୍ଷଣକୁ ନେଇ ରାସ୍ତାକୁ ଓହ୍ଲାଇଛି । ଏହାକୁ ଏକ ବଡ଼ ଅସ୍ତ୍ର କରି ବିଜେଡି ଓ କଂଗ୍ରେସକୁ ଲଗାତାର ଘେରିଛନ୍ତି ଶାସକ ବିଜେପି ଦଳ ।












Leave a Reply