ଅକ୍ଷର ବ୍ୟୁରୋ: ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ। ଶ୍ରୀଜଗନ୍ନାଥ ମନ୍ଦିରର ଭିତର ବେଢ଼ାରୁ ନୀଳଚକ୍ରରେ ପତିତପାବନ ବାନା ପରିବର୍ତ୍ତନ ସମୟର ଦୃଶ୍ୟ ବୋଲି ଦାବି କରାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଭିଡିଓଟି ଇନଷ୍ଟାଗ୍ରାମର ‘କୁର୍ତ୍ତିକା_କ୍ରେପ ୨୦୧୭’ ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିବା ସୂଚନା ମିଳିଛି।
ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଓ ନିୟମ ପାଳନକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଗତ କିଛି ଦିନ ଧରି ବାରମ୍ବାର ଶ୍ରୀମନ୍ଦିର ଭିତରର ଦୃଶ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଥିବାରୁ ଏହା କେବଳ ଏକ ଘଟଣା ନୁହେଁ, ବରଂ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କିପରି ପ୍ରବେଶ କଲା ଏବଂ କେଉଁ ପରିସ୍ଥିତିରେ ଏହି ଭିଡିଓ ରେକର୍ଡ କରାଗଲା? କାରଣ ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ୍ ନେବା ଉପରେ କଡ଼ା କଟକଣା ରହିଛି। ଏହା ସତ୍ତ୍ୱେ ଭିତର ବେଢ଼ାରୁ ଭିଡିଓ ରେକର୍ଡ ହୋଇ ସୋସିଆଲ ମିଡିଆରେ ପହଞ୍ଚିବା ଘଟଣା ମନ୍ଦିର ସୁରକ୍ଷା ପ୍ରଣାଳୀକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ଶ୍ରୀମନ୍ଦିର ଭଳି ଏକ ସମ୍ବେଦନଶୀଳ ଓ ଆସ୍ଥାର କେନ୍ଦ୍ରସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଏବଂ ଘଟଣାର ପୂର୍ଣ୍ଣ ତଦନ୍ତ କରି ଯଦି କୌଣସି ନିୟମ ଉଲ୍ଲଂଘନ ହୋଇଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ଉଠୁଛି।












Leave a Reply