ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ପତ୍ନୀ ହତ୍ୟା ମାମଲାର ତଦନ୍ତରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ମଞ୍ଚେଶ୍ୱର ଥାନା ପୁଲିସ। ପତ୍ନୀ ମୋନିକାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସ୍ୱାମୀ ଦୀପକ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ପୁଲିସ ତାଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରାଇଥିବାବେଳେ, ଅଭିଯୁକ୍ତ ହତ୍ୟା କିପରି କରିଥିଲେ ସେନେଇ ପୁରା ଘଟଣାକ୍ରମ ପୁଲିସ ସମ୍ମୁଖରେ ଦେଖାଇଛନ୍ତି। ତଦନ୍ତ ସମୟରେ ଅଭିଯୁକ୍ତ ଦୀପକ ପତ୍ନୀ ମୋନିକାଙ୍କୁ କେଉଁ ପରିସ୍ଥିତିରେ ଏବଂ କିଭଳି ହତ୍ୟା କରିଥିଲେ, ତାହାର ଡେମୋ ପୁଲିସକୁ ଦେଇଛନ୍ତି। ଘଟଣାରେ ବ୍ୟବହୃତ ବ୍ଲେଡ୍, ଯାହାଦ୍ୱାରା ମହିଳାଙ୍କ ଶିରା କାଟାଯାଇଥିବା ଅଭିଯୋଗ ରହିଛି, ତାହାକୁ ମଧ୍ୟ ପୁଲିସ ଜବତ କରିଛି। ଏହି ସମସ୍ତ ତଥ୍ୟକୁ ମାମଲାର ପ୍ରମାଣ ଭାବେ ସଂଗ୍ରହ କରାଯାଉଛି।
ପୁଲିସ ସୂଚନା ଅନୁଯାୟୀ, ୨୦୧୯ ମସିହାରେ ବୈଦିକ ରୀତିନୀତିରେ ଦୀପକ ଓ ମୋନିକାଙ୍କ ବିବାହ ହୋଇଥିଲା। ତେବେ ପାରିବାରିକ ମତଭେଦ କାରଣରୁ ଗତ ଦୁଇ ବର୍ଷ ଧରି ଉଭୟ ଅଲଗା ରହୁଥିଲେ। ଏହି ପାରିବାରିକ ବିବାଦ ହିଁ ହତ୍ୟାକାଣ୍ଡର ପ୍ରମୁଖ କାରଣ କି ନୁହେଁ, ସେନେଇ ପୁଲିସ ସବୁ ଦିଗରୁ ତଦନ୍ତ କରୁଛି। ଅନ୍ୟପଟେ, ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣାର ପ୍ରତ୍ୟେକ ଦିଗକୁ ଖତିଆନ କରୁଛି ମଞ୍ଚେଶ୍ୱର ଥାନା ପୁଲିସ। କ୍ରାଇମ ସିନ୍ ରିକ୍ରିଏସନ୍, ଜବତ ସାମଗ୍ରୀ ଏବଂ ଫରେନ୍ସିକ୍ ପ୍ରମାଣ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଯାଉଛି। ମାମଲାର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ପରେ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।












Leave a Reply