ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଅପପ୍ରଚାର ନକରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀର କଡ଼ା ନିର୍ଦ୍ଦେଶ ।

ଅକ୍ଷର ବ୍ୟୁରୋ: ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା କିମ୍ବା ଫଟୋର ପ୍ରଚାର ପ୍ରସାର ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସେହି ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଏକ ବିଭ୍ରାନ୍ତିକର ଫଟୋ AI ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଦୃଷ୍ଟିଗୋଚର ହୋଇଛି । ସୋସିଆଲ ମିଡିଆର ଏକ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି ଫଟୋ ପୋଷ୍ଟ କରାଯାଇଥିବା ଚିହ୍ନଟ ହୋଇଛି । ଏହି ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ଭ୍ରାନ୍ତିକର ବୋଲି ଜଣାପଡ଼ିଛି ।

ଏଭଳି ବିଭ୍ରାନ୍ତିକର ସୂଚନାର ପ୍ରଚାର ପ୍ରସାର ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ଏଭଳି ବିଭ୍ରାନ୍ତିକର ସୂଚନା ଅନ୍ୟମାନଙ୍କୁ ପଠାଇବାରୁ ନିବୃତ୍ତ ରୁହନ୍ତୁ, କାରଣ ଏପରି କରିଥିବା ବ୍ୟକ୍ତିଙ୍କ ପାଇଁ ଗମ୍ଭୀର ପରିଣାମ ସୃଷ୍ଟି ହୋଇପାରେ । ନୂଆପଡ଼ା ବିଧାନସଭା ଉପନିର୍ବାଚନର ମତଦାନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ତେଣୁ ନିର୍ବାଚନ ସମ୍ପର୍କୀୟ କୌଣସି ସୂଚନା ଅନ୍ୟ କାହାକୁ ପଠାଇବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବାକୁ ଅନୁରୋଧ । ଦୟାକରି ସୋସିଆଲ ମିଡିଆକୁ ସତର୍କତାର ସହିତ ବ୍ୟବହାର କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଭ୍ରାନ୍ତିକର ସୂଚନା ଓ ଫୋଟୋର ପ୍ରଚାର ପ୍ରସାରରୁ ନିବୃତ ରହିବାକୁ ପୁନଶ୍ଚ ଅନୁରୋଧ କରିଛି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେପଟେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୨୦୨୪ ନିର୍ବାଚନ ପରାଜୟ ଭୋଗ କରିବା ପରେ, ନବୀନ ପଟ୍ଟନାୟକ କହିଥିଲେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଛି, ସେଥିପାଇଁ ବିଜେଡି ର ପରାଜୟ ଘଟିଛି । କିନ୍ତୁ ଆଜି ବିଜେଡି ଦଳ ଏହାକୁ ନିଜେ କରୁଛି ଓ ତାଙ୍କ ଲୋକ କରୁଛନ୍ତି ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ଫଟୋକୁ AI ସହାୟରେ ଏଡିଟ କରି ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ଓ ନୂଆପଡା ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି  । ବିଜେଡି ପରାଜୟ ଭୟରେ ଏପରି ଅପଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)