ଅକ୍ଷର ବ୍ୟୁରୋ: ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା । ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ । ୧୧ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ । ସୃଷ୍ଟି ହେବ ୭୮୧୫ ନିଯୁକ୍ତି । ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ । ମଙ୍ଗଳବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୧୪୨ତମ ବୈଠକରେ ଏହି ପ୍ରକଳ୍ପ ସମେତ ୪୩୫୩ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ୨୦ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି । ସେଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୮୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସୁନ୍ଦରଗଡ଼ରେ ଏନ୍ଟିପିସି ସେଲ୍ ପାୱର କମ୍ପାନି ପକ୍ଷରୁ ୭୧୦.୨୭ କୋଟି ଟଙ୍କା ନିବେଶରେ ଏକ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରାଯିବ । ଖୋର୍ଦ୍ଧାରେ ଏସ୍ଆର୍ ଡାଇନାମିକ୍ସ ୫୪ କୋଟି ଟଙ୍କା ନିବେଶରେ ଏକ ସୋଲାର୍ ମଡ୍ୟୁଲ୍, ଅନୁଗୁଳରେ ୩୫୧ କୋଟି ଟଙ୍କା ନିବେଶରେ ଏକ ସୋଲାର ପିଭି ସିପିପି, ଢେଙ୍କାନାଳରେ ୨୭୧ କୋଟି ଟଙ୍କା ନିବେଶରେ ଏକ ସୋଲାର୍ ସେଲ୍ ଓ ସୋଲାର୍ ମଡ୍ୟୁଲ୍ କାରଖାନା ଏବଂ ଆଇନେକ୍ସ ରିନୁଏବଲ୍ସ ପକ୍ଷରୁ ମଧ୍ୟ ଖୋର୍ଦ୍ଧାରେ ୯୯.୮୫ କୋଟି ଟଙ୍କା ନିବେଶରେ ଏକ ସୋଲାର୍ ମଡ୍ୟୁଲ୍ କାରଖାନା ସ୍ଥାପନ କରାଯିବ । ରାଜ୍ୟରେ ଆଉ ୪ଟି ନୂଆ ତାରକା ହୋଟେଲ୍ ଓ ରିସୋର୍ଟ ସ୍ଥାପନ କରାଯିବ । ପୁରୀରେ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍ସ ଆଣ୍ଡ୍ କନ୍ଷ୍ଟ୍ରକ୍ସନ୍ ୨୫୦.୪୮ କୋଟି ଟଙ୍କାରେ ଏକ ପଞ୍ଚତାରକା ହୋଟେଲ୍ ଓ ଆର୍କେଡି ହୋଟେଲ୍ସ ୫୮.୮୦ କୋଟି ଟଙ୍କାରେ ଏକ ରିସୋର୍ଟ ସ୍ଥାପନ କରିବ । ସାତପଡ଼ା ରେଗାଲ୍ ପାରାଡାଇଜ୍ ପକ୍ଷରୁ ପୁରୀରେ ୧୨୫ କୋଟି ଟଙ୍କା ନିବେଶରେ ଏକ ପଞ୍ଚତାରକା ହୋଟେଲ୍ ନିର୍ମାଣ କରାଯିବ । କୋରାପୁଟରେ ମିଡ୍-ଇଷ୍ଟ୍ ପକ୍ଷରୁ ୭୦ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ସ୍ଥାପନ କରାଯିବ ।
ସେହିପରି ପିଟି ୱାର୍କସ୍ ପକ୍ଷରୁ ୫୩୨ କୋଟି ଟଙ୍କା ନିବେଶରେ ଜଗତସିଂହପୁରରେ ପାନୀୟ ପ୍ରକଳ୍ପ ସ୍ଥାପନ କରାଯିବ । ଖୋର୍ଦ୍ଧା ଓ ସମ୍ବଲପୁରରେ ଯଥାକ୍ରମେ ମାଉଣ୍ଟ୍ ଏଭରେଷ୍ଟ ବ୍ରୁଅରି ଓ ପ୍ରିମିୟର୍ ଗ୍ରିନ୍କେମ୍ ପକ୍ଷରୁ ବ୍ରୁଅରି ସ୍ଥାପନ କରାଯିବ । ଅନୁଗୁଳରେ ଗୋଦାବରୀ କମୋଡିଟିଜ୍ ତରଫରୁ ୯୯.୮୦ କୋଟି ଟଙ୍କା ନିବେଶରେ ଏକ କୋଇଲା ୱାସେରି କରାଯିବ । ରଶ୍ମି ମେଟାଲର୍ଜିକାଲ୍ ଇଣ୍ଡଷ୍ଟ୍ରି କେନ୍ଦୁଝରରେ ୬୦୦ କୋଟି ଟଙ୍କା ନିବେଶରେ ଲୁହାପଥର ବିନିଫିକେସନ୍ କାରଖାନା ବସାଇବ। ଯାଜପୁରରେ ସାଇନୋମାକ୍ ଟେକ୍ନୋଲୋଜିସ୍ ୭୦.୫୦ କୋଟି ଟଙ୍କା ନିବେଶରେ ଏକ ରେଳ ଉପକରଣ କାରଖାନା ନିର୍ମାଣ କରିବ । ନିର୍ମଳ ୱାୟର୍ସ ତରଫରୁ ଖୋର୍ଦ୍ଧାରେ ୧୫୦ କୋଟି ଟଙ୍କା ନିବେଶରେ ଆନୁଷଙ୍ଗିକ ଆଲୁମିନିୟମ ପ୍ରକଳ୍ପ ବସାଯିବ । ଗ୍ରେଟ୍ଲେନ୍ ସର୍ଭେଲାନ୍ସ ସିଷ୍ଟମ୍ସ ଖୋର୍ଦ୍ଧାରେ ୬୦ କୋଟି ଟଙ୍କା ନିବେଶରେ ଏଲ୍ଇଡି ଲାଇଟ୍ କାରଖାନା କରିବ । ଝାରସୁଗୁଡ଼ାରେ ମାତାରାଣୀ ରିସୋର୍ସେସ୍ ୫୧.୨୪ କୋଟି ଟଙ୍କାରେ ଏକ ପ୍ରାଇଭେଟ୍ ଫ୍ରେଟ୍ ଟର୍ମିନାଲ୍ ସ୍ଥାପନ କରିବ । ଯାଜପୁରରେ ଲଜିଷ୍ଟିକ୍ ପାର୍କ ସ୍ଥାପନ ପାଇଁ ଶ୍ରୀଜଗନ୍ନାଥ କ୍ୟାରିୟର୍ସ ୧୧୧.୮୫ କୋଟି ନିବେଶ କରିବ । ଖୋର୍ଦ୍ଧାରେ ଆଇଟି ସେବାରେ ଟେକ୍ନୋସ୍ରାଇନ୍ ଇନ୍ଫୋସ୍ଲ୍ୟୁସନ୍ସ ୬୩ କୋଟି ଟଙ୍କା ଖଟାଇବ ।












Leave a Reply