ପବିତ୍ର ମହାଶିବରାତ୍ରୀ ପାଇଁ ଉଠୁଛି ପଡୁଛି ଏକାମ୍ର କ୍ଷେତ୍ର; ଏଥର ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।

ଅକ୍ଷର ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରୀ ପାଇଁ ଉଠୁଛି ପଡୁଛି ଏକାମ୍ର କ୍ଷେତ୍ର । ଏହି କ୍ଷେତ୍ରର ଅଧିଷ୍ଠାତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉପବାସ ରଖି ଉପାସନା କରିବେ, ଉଜାଗର ରହି ଜାଗର ଦୀପ ଜାଳିବେ । ଜପ, ତପ, ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଲ୍ଲୀନ ହେବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି । ଲୋକେ ଭୋର ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିବେ । ପରେ ଦିନ ତମାମ ଆଡ଼କାଠ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ । ଅପରାହ୍ଣ ୩ଟା ୪୫ ଏବଂ ରାତି ୧୦ଟାରେ ମହାଦୀପ ଉଠିବା ପରେ ମଧ୍ୟ ଘଣ୍ଟାଏ ଲେଖାଏଁ ସାହାଣମେଲା ଦର୍ଶନ । ସେହିପରି ଚାରି ପ୍ରହର ପୂଜା, ହରିହର ଭେଟ ଏବଂ ବଡ଼ସିଂହାର ବେଶ ଓ ପହୁଡ଼ ଆଦି ନୀତି ସୋମବାର ଭୋର ସାଢ଼େ ୫ଟାରେ ବଢ଼ିବ ।

ଏଥର ମହାଦୀପ ଦର୍ଶନ ନିମନ୍ତେ ରାଜ୍ୟପାଳ ହରୀବାବୁ କୁମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ଆସିବେ । ଭିଆଇପି ପ୍ରଥା ଉପରେ ରୋକ ଲଗାଇବାକୁ ଏଥର ପାସ୍ ସଂଖ୍ୟା ହ୍ରାସ କରାଯାଇଛି । ଯାହା ବି ଅଳ୍ପ ପାସ ପ୍ରଚଳନ ହୋଇଛି, ସେଥିରେ ଗୋଟିଏ ଥର ବ୍ୟବହାର ପାଇଁ କ୍ୟୁଆର କୋଡ ଭଳି ନୂଆ ଏବଂ ଆଧୁନିକ ବୈଷୟିକ ବ୍ୟବସ୍ଥା ହୋଇଛି । ସବୁ ପ୍ରକାର ଗଳା ବାଟରୁ ଅନୁପ୍ରବେଶ ରୋକାଯିବ । ବିଶେଷ କରି ଦକ୍ଷିଣି ଘର(ଚଳନ୍ତି ବିଗ୍ରହ)ମନ୍ଦିର ବାଟ ଦେଇ କାହାରିକୁ ଗର୍ଭଗୃହକୁ ଛଡ଼ା ଯିବ ନାହିଁ । ସମଗ୍ର ଅଞ୍ଚଳକୁ ସିସି କ୍ୟାମେରା ନଜରରେ ରଖାଯିବ । ସୁରକ୍ଷା ନିମନ୍ତେ ୪୧ ପ୍ଳାଟୁନ ଫୋର୍ସ ସହ ୪ ଡିସିପି, ୪ ଆଡିସିନାଲ ଡିସିପି, ୧୬ ଏସିପି, ୩୩ ଇନ୍ସପେକ୍ଟର, ୧୧୯ ଜଣ ଏସ୍ଆଇ ଓ ଏଏସ୍ଆଇ, ୯୬ଜଣ ମହିଳା କନଷ୍ଟେବଳ ଏବଂ ୫୮ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)