ପୁରୀରେ ଚୋରିର ଶିକାର ହେବେନାହିଁ ପର୍ଯ୍ୟଟକ; ପ୍ରଥମଥର ପାଇଁ ଲାଗୁ ହେବ ବ୍ୟାଗେଜ୍ ଲକର୍ ସିଷ୍ଟମ୍ ।

ଅକ୍ଷର ବ୍ୟୁରୋ: ପୁରୀ ପୌରସଂସ୍ଥାର ନୂଆ ପଦକ୍ଷେପ । ଏଣିକି ଆଉ ଚୋରିର ଶିକାର ହେବେନାହିଁ ପର୍ଯ୍ୟଟକ । ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପ୍ରଥମଥର ପାଇଁ ଲାଗୁ ହୋଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍ । ପର୍ଯ୍ୟଟକମାନେ ନିଜ ନିଜର ବ୍ୟାଗ ଲକର୍ ରେ ରଖି ଆରମ୍ ସେ ବୁଲିପାରିବେ । ପୁରୀ ବେଳାଭୂମି ନିକଟ ଦୁଇଟି ଜାଗାରେ ଏହି ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଟକ୍କିଟ୍ ସଂସ୍ଥା ଜରିଆରେ ପୁରୀ ସମୁଦ୍ରକୂଳ ଭିକ୍ଟୋରିଆ ହୋଟେଲ୍ ସମ୍ମୁଖ ଓ ଦିଗବାରେଣୀ ଖୁଣ୍ଟି ଛକ ପାଖରେ ଦୁଇଟି ବ୍ୟାଗେଜ୍ ଲକର୍ ପରୀକ୍ଷାମୂଳକ ଭାବେ ସ୍ଥାପନ ହୋଇଛି ।

ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆପଣାଇବାକୁ ହେଲେ ପ୍ରଥମେ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ । ଏହାପରେ ଅନଲାଇନରେ ଆପଣଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ । ଏହାପରେ ଲକର୍ ଦୁଆର ଆପେଆପେ ଖୋଲିବା ପରେ ଆପଣ ନିଜର ବ୍ୟାଗ୍, ଜୋତା, ମୋବାଇଲ ଇତ୍ୟାଦି ଜିନିଷପତ୍ର ରଖି ପୁର୍ନବାର ମୋବାଇଲ ଯୋଗେ ଏହାକୁ ବନ୍ଦ କରିବେ । ତେବେ ଗୋଟିଏ ସିଷ୍ଟମରେ ୨୭ଟି ଲକର୍ ଥିବାବେଳେ ଏଥିରେ ଛୋଟ, ମଧ୍ୟମ, ବଡ ଏବଂ ଅତିରିକ୍ତ ବଡ ଏଭଳି ଭିନ୍ନଭିନ୍ନ ମାପର ଲକର୍ ରହିଛି । ସବୁଠାରୁ ବଡ ଲକରରେ ୮ରୁ ୧୦ଟି ବ୍ୟାଗ୍, ଚପଲ, ମୋବାଇଲ ରଖାଯାଇପାରିବ । ଏଥିପାଇଁ ଘଣ୍ଟାକୁ ୧୧୮ ଟଙ୍କା ଦେବାକୁ ପଡିବ । ସେହିଭଳି ଵଡ଼ ଲକର୍ ପାଇଁ ଘଣ୍ଟାକୁ ୬୯ ଟଙ୍କା ୬୨ ପଇସା, ମଧ୍ୟମ ଲକର୍ ପାଇଁ ଘଣ୍ଟାକୁ ୨୯ ଟଙ୍କା ୫ ପଇସା ଓ ଛୋଟ ଲକର୍ ପାଇଁ ଘଣ୍ଟାକୁ ୧୮ ଟଙ୍କା ୮୮ ପଇସା ଅନଲାଇନ ଯୋଗେ ପେମେଣ୍ଟ କରିବାକୁ ପଡିବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)