ଅକ୍ଷର ବ୍ୟୁରୋ: ଟଙ୍କା ପାଇଁ ଭଉଣୀର ଶବ ଖୋଳି ବ୍ୟାଙ୍କ ଆଣିବା ଭଳି ହୃଦୟ ବିଦାରକ ଘଟଣା ଗଣମାଧ୍ୟମରେ ପ୍ରସାରଣ ପରେ ଅଡ଼ୁଆରେ ବ୍ୟାଙ୍କ କର୍ତ୍ତୃପକ୍ଷ । ଦୋଷ ଛଡାଇବାକୁ ଜିତୁ ମୁଣ୍ଡାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । ପାଟଣା ବିଡିଓଙ୍କ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କ ପାଖରେ ପହଞ୍ଚିଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଜମା ଟଙ୍କା ପ୍ରଦାନ ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରମାଣ ପତ୍ର ସହ ଟିପ ଚିହ୍ନ ନେଇଛନ୍ତି । ସେପଟେ ଏମିତି ଘଟଣା ଆଗକୁ ଯେମିତି ନଘଟୁ ସେଥିପାଇଁ ରାଜସ୍ଵ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସୁରେଶ ପୂଜାରୀ କହିଛନ୍ତି ଯେ, କେନ୍ଦୁଝରର ଘଟଣା ହୃଦୟ ବିଦାରକ । ଦାନ ମାଝୀଙ୍କ ପରେ ଏହା ଦ୍ଵିତୀୟ ଘଟଣା । ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ ଏମିତି କରିବା ପାଇଁ ଯେମିତି ଆଉ କାହାର ସାହାସ ନହେଉ । ମନ୍ତ୍ରୀ ପୁଣି କହିଛନ୍ତି ଯେ, ଜିଲ୍ଲାପାଳ ଏ ଘଟଣାରେ ତଦନ୍ତ କରିଛନ୍ତି କି ? ଏପରି ପରିସ୍ଥିତି କାହିଁକି ହେଲା, ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି । ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ସୂଚନା ଥାଉକି, ୪ ଭାଇଭଉଣୀଙ୍କୁ ନେଇ ପାଟଣା ବ୍ଲକ୍ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା (୫୦)ଙ୍କ ପରିବାର । ବଡ଼ଭାଇ ରଇବୁ ମୁଣ୍ଡା ଓ ସାନ ଭାଇ ଶଙ୍କରା ମୁଣ୍ଡା ବିବାହିତ । ଜିତୁ ଓ ବଡ଼ ଭଉଣୀ କାଲରା ଅବିବାହିତ ଥିଲେ। ଦୁଇ ବର୍ଷ ପୂର୍ବରୁ ବଳଦ ବିକ୍ରି କରି ବଡ଼ ଭାଇ ରଇବୁ ଭଉଣୀ କାଲରାଙ୍କ ନାଁରେ ମଲ୍ଲୀପଶି ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍ରେ ୧୯,୩୦୦ ଟଙ୍କା ଜମା କରିଥିଲେ । ନୋମିନୀ ଭାବେ ବଡ଼ଭାଇଙ୍କ ନାଁ ରହିଛି । ଦେଢ଼ ବର୍ଷ ପୂର୍ବରୁ ରଇବୁଙ୍କ ମୃତ୍ୟୁ ଘଟିସାରିଛି । ଭଉଣୀ କାଲରା (୫୫)ଙ୍କ ମଧ୍ୟ ୨ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା । କାଲରାଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦଉଡି ଦଉଡି ନିରାଶ ହୋଇଥିଲେ । ବ୍ୟାଙ୍କ୍ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇକି ଆସ ବୋଲି କହିଥିଲେ ।
କିନ୍ତୁ କାଲରାଙ୍କ ପରିବାର କହିଲେ ଜିତୁ ଓ ଶଙ୍କରାଙ୍କ ଛଡା ଆଉ କେହି ନଥିବାରୁ ଜିତୁ ବ୍ୟାଙ୍କ୍କୁ ବାରମ୍ବାର ଯାଇଥିଲେ । ହେଲେ ବ୍ୟାଙ୍କ୍ ଅଧିକାରୀ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହି ଫେରାଇ ଦେଇଥିଲେ । ଶେଷରେ ଜିତୁ ମୁଣ୍ଡା ଶ୍ମଶାନରୁ ବଡ଼ଭଉଣୀର ଶବକୁ ଖୋଳି ଏକ ବସ୍ତାରେ ପୂରାଇ ୩ କିମି ଦୂର ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ୍କୁ ଯାଇଥିଲେ । ବ୍ୟାଙ୍କ୍ ସମ୍ମୁଖରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ । ବ୍ୟାଙ୍କ୍ କର୍ମଚାରୀ ସଙ୍ଗେ ସଙ୍ଗେ ଗେଟ୍ ବନ୍ଦ କରିଦେବାରୁ ସେ ବାରଣ୍ଡାରେ ବସି ରହିଥିଲେ । ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିଲେ ମଧ୍ୟ ତା କଥାକୁ କେହି ଶୁଣି ନଥିଲେ ।












Leave a Reply