ରାଉରକେଲା: ରେଳଷ୍ଟେସନରେ କନଫର୍ମ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ରାଉରକେଲା ରେଳଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ୍ ନିକଟ ଭାଲ୍ଭ ରୁମ୍ରେ ଏହି ଘଟଣା ଘଟିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।
ଘଟଣାରେ ରାଉରକେଲା ଜିଆରପି ୫୪ ବର୍ଷୀୟ ରେଳ କର୍ମଚାରୀ କପିଳେଶ୍ୱର ସିଂହଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ତେବେ ଅଭିଯୋଗର ସତ୍ୟତା ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ତଦନ୍ତ ପରେ ସ୍ପଷ୍ଟ ହେବ।
ସୂଚନା ଅନୁସାରେ, ନୂଆପଡ଼ା ଥାନା ଅଞ୍ଚଳର ୨୦ ବର୍ଷୀୟା ଯୁବତୀ ବେଙ୍ଗାଲୁରୁ ଯିବା ପାଇଁ ରାଉରକେଲା ରେଳଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ପାଖରେ କନଫର୍ମ ଟିକେଟ୍ ନଥିବାରୁ ସେ ଷ୍ଟେସନର ମୁଖ୍ୟ ଦ୍ୱାର ନିକଟରେ ଠିଆ ହୋଇଥିବା ବେଳେ ରେଳବାଇର IOW ବିଭାଗରେ କାର୍ଯ୍ୟରତ ଭାଲ୍ଭ ମ୍ୟାନ୍ କପିଳେଶ୍ୱର ସିଂହଙ୍କ ସହ ତାଙ୍କର ଦେଖା ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ଅଭିଯୋଗ ଅନୁସାରେ, କପିଳେଶ୍ୱର ତାଙ୍କୁ କନଫର୍ମ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ପ୍ଲାଟଫର୍ମ ନମ୍ବର-୧ ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ୍ ନିକଟକୁ ନେଇଯାଇଥିଲେ। ସେଠାରେ ଥିବା ଭାଲ୍ଭ ରୁମ୍ରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ସେ ଜିଆରପିକୁ ବୟାନ ଦେଇଛନ୍ତି।
ଅଭିଯୋଗ ପାଇବା ପରେ ଜିଆରପି ଟିମ୍ ଯୁବତୀଙ୍କୁ ନେଇ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲା। ପରେ ତାଙ୍କର ରାଉରକେଲା ସରକାରୀ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଛି। ଏହାପରେ ରାଉରକେଲା ଜିଆରପି ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛି। ଘଟଣା ସମ୍ପର୍କିତ ତଥ୍ୟ ଓ ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।













Leave a Reply