ଅକ୍ଷର ବ୍ୟୁରୋ: ଆଲୁମିନିୟମ୍ ଶିଳ୍ପରେ ପାଦ ଥାପିବାକୁ ରିଲାଏନ୍ସର ଯୋଜନା | କୋଇଲା ଗ୍ୟାସିଫିକେସନ୍ରୁ ଧାତୁ ଉତ୍ପାଦନ ଯାଏଁ ସମ୍ପୂର୍ଣ୍ଣ ଭାଲ୍ୟୁ ଚେନ୍ ଉପରେ ନଜର | କାର୍ଲାପାଟ ବକ୍ସାଇଟ୍ ନିଲାମରେ ପୂର୍ବରୁ ଦେଖାଇଥିଲା ଆଗ୍ରହ ଓଡ଼ିଶାର ଖଣିଜ ସମ୍ପଦ ଉପରେ ଏବେ ଦେଶର ଦୁଇ ବଡ଼ କର୍ପୋରେଟ୍ ଗ୍ରୁପ୍—ରିଲାଏନ୍ସ ଓ ଆଦାନୀଙ୍କ ନଜର । ରାଜ୍ୟର ବିପୁଳ ଖଣିଜ ସମ୍ପଦ ଓ ଆଲୁମିନିୟମ୍ ଶିଳ୍ପକୁ ନେଇ ଉଭୟ ଗ୍ରୁପ୍ ମଧ୍ୟରେ ପ୍ରତିଯୋଗିତା ଆହୁରି ତୀବ୍ର ହେବାର ସଙ୍କେତ ମିଳୁଛି । ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବା ନେଇ ବିଚାର କରୁଥିବା ସୂଚନା ମିଳିଛି । ତେବେ ରିଲାଏନ୍ସର ଏହି ଯୋଜନା ଏବେ ପ୍ରାରମ୍ଭିକ ଓ ଅନୁସନ୍ଧାନମୂଳକ ପର୍ଯ୍ୟାୟରେ ରହିଛି । ପ୍ରସ୍ତାବିତ କୋଇଲା ଗ୍ୟାସିଫିକେସନ୍ ବ୍ୟବସାୟକୁ ଧାତୁ ଉତ୍ପାଦନ ସହ ଯୋଡ଼ି ବ୍ୟବସାୟିକ ସମ୍ଭାବନା ବଢ଼ାଇବା ନେଇ କମ୍ପାନି ବିଚାର କରୁଥିବା ଜଣାପଡ଼ିଛି ।
ରିଲାଏନ୍ସ ପକ୍ଷରୁ ଆନ୍ଧ୍ରପ୍ରଦେଶରେ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ କରାଯାଉଛି । ଏହି ପ୍ରକଳ୍ପରୁ ଉତ୍ପାଦିତ ଗ୍ୟାସ୍କୁ ଆଲୁମିନିୟମ୍ ଶିଳ୍ପର ବିଦ୍ୟୁତ୍ ଆବଶ୍ୟକତା ପୂରଣରେ ବ୍ୟବହାର କରିବାର ସମ୍ଭାବନା ଉପରେ ବିଚାର ଚାଲିଛି । ଏହା ମାଧ୍ୟମରେ ଇନ୍ଧନଠାରୁ ଆରମ୍ଭ କରି ଧାତୁ ଉତ୍ପାଦନ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଭାଲ୍ୟୁ ଚେନ୍ ତିଆରି କରିବା ରିଲାଏନ୍ସର ଲକ୍ଷ୍ୟ ହୋଇପାରେ । ଓଡ଼ିଶାର ଆଲୁମିନିୟମ୍ ଶିଳ୍ପ ପ୍ରତି ରିଲାଏନ୍ସର ଆଗ୍ରହ କାର୍ଲାପାଟ ବକ୍ସାଇଟ୍ ଖଣି ନିଲାମ ସମୟରେ ମଧ୍ୟ ସାମ୍ନାକୁ ଆସିଥିଲା । ରିଲାଏନ୍ସ ଏହି ଖଣିର ନିଲାମ ପାଇଁ ଟେଣ୍ଡର କିଣିଥିଲା । ପ୍ରାୟ ୩,୧୦୦ ହେକ୍ଟର ଅଞ୍ଚଳରେ ଥିବା କାର୍ଲାପାଟ ବ୍ଲକ୍ରେ ୨୦ କୋଟି ଟନ୍ରୁ ଅଧିକ ବକ୍ସାଇଟ୍ ମହଜୁଦ ଥିବା ଆକଳନ କରାଯାଇଛି । ହେଲେ ନିଲାମରେ ରିଲାଏନ୍ସ ଏହି ଖଣି ହାସଲ କରିପାରିନଥିଲା । ବେଦାନ୍ତ ଗ୍ରୁପ୍ର ସଂସ୍ଥା ବାଲକୋ ୧୭୫ ପ୍ରତିଶତ ପ୍ରିମିୟମ୍ ଦେଇ ପସନ୍ଦର ବିଡର୍ ହୋଇଥିଲା । ଏବେ ରିଲାଏନ୍ସର ଆଲୁମିନିୟମ୍ କ୍ଷେତ୍ରରେ ପ୍ରବେଶ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଓଡ଼ିଶାର ଖଣିଜ ଓ ଧାତୁ ଶିଳ୍ପରେ ନୂଆ ସମୀକରଣକୁ ନେଇ ଆଗ୍ରହ ବଢ଼ିଛି । କାର୍ଲାପାଟ ନିଲାମରେ ସୁଯୋଗ ହାତଛଡ଼ା କରିଥିବା ରିଲାଏନ୍ସ ଆଗାମୀ ଦିନରେ ଓଡ଼ିଶାର ଖଣିଜ କ୍ଷେତ୍ରରେ କେଉଁ ନୂଆ ପଦକ୍ଷେପ ନେବ, ଏବେ ତା’ଉପରେ ନଜର ।















Leave a Reply