ରାଉରକେଲା: ରାଉରକେଲା ସର୍କିଟ୍ ହାଉସ୍ରୁ ବନ୍ଧୁକ ଜବତ ଘଟଣାରେ ପୁଲିସକୁ ବଡ଼ ସଫଳତା । ଘଟଣାର ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ ପ୍ରକାଶ ପାଶୱାନଙ୍କୁ ବିହାରର ସମସ୍ତିପୁର ଅଞ୍ଚଳରୁ ଗିରଫ କରିଛି ପୁଲିସ । ଗିରଫ ପରେ ଆଜି ତାଙ୍କୁ ରାଉରକେଲା ଅଣାଯିବ ବୋଲି ସୂଚନା ମିଳିଛି । ଗତ ୧୪ ତାରିଖରେ ରାଉରକେଲା ସର୍କିଟ୍ ହାଉସ୍ରୁ ପୁଲିସ ୪ଟି ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ଜବତ କରିଥିଲା । ଏହି ଘଟଣାରେ ପ୍ରଥମେ ୨ ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରାଯାଇଥିଲା ।
ତଦନ୍ତ ଆଗକୁ ବଢ଼ିବା ପରେ ଏହି ମାମଲାରେ ଆଉ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତେବେ ଏବେ ମଧ୍ୟ ଏକାଧିକ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ସର୍କିଟ୍ ହାଉସ୍ ଘଟଣା ସାମ୍ନାକୁ ଆସିବା ପରେ ପ୍ରକାଶ ପାଶୱାନ ଫେରାର ହୋଇଯାଇଥିଲେ । ତାଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିଲା । ଶେଷରେ ବିହାରର ସମସ୍ତିପୁର ଅଞ୍ଚଳରୁ ତାଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି । ଆଜି ତାଙ୍କୁ ରାଉରକେଲା ଅଣାଯାଇ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ପ୍ରକାଶ ପାଶୱାନଙ୍କ ବେଆଇନ ଘର ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଘଟଣାରେ ଅସ୍ତ୍ର କାରବାର ସହ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି । ବନ୍ଧୁକ ଜବତରୁ ଆରମ୍ଭ ହୋଇଥିବା ତଦନ୍ତ ଏବେ ମାଷ୍ଟରମାଇଣ୍ଡଙ୍କ ଗିରଫ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ, ଫେରାର ଅଭିଯୁକ୍ତଙ୍କୁ ଧରିବା ଉପରେ ରହିଛି ପୁଲିସର ଫୋକସ୍ ।















Leave a Reply