ଗତକାଲି ଦିନିକିଆ ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଅନୁଗୁଳ ସ୍ଥିତ ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଯୋଜନା, ସମସ୍ୟା ଏବଂ ନୂତନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଥିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଅନୁଷ୍ଠିତ ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାୟକ ଶ୍ରୀପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀଅଗସ୍ତି ବେହେରା, ପାଳଲହଡ଼ା ବିଧାୟକ ଶ୍ରୀଅଶୋକ ମହାନ୍ତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ୱଲପୁର ସାଂସଦଙ୍କ ପ୍ରତିନିଧି, ଅନୁଗୁଳ ଜିଲ୍ଲାପାଳ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ବୃନ୍ଦ ଏହି ବୈଠକରେ ଉପସ୍ଥିତ ଥିଲେ।
ସରକାରଙ୍କ ସମସ୍ତ ଯୋଜନା ଯେପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ। ଚାଷୀମାନଙ୍କର ସମସ୍ୟା ସମାଧାନ ସହ ସେମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ଇ-କେୱାସି, ବିଦ୍ୟାଳୟମାନଙ୍କରେ କିଚେନ ଓ ଗାର୍ଡେନର ବ୍ୟବସ୍ଥା କରିବା, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ନିଯୁକ୍ତି, ରାସ୍ତା ସଂଯୋଗୀକରଣ, ଜଳସେଚନ ତଥା ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା। ସମସ୍ତ ପ୍ରକଳ୍ପ ବା କାର୍ଯ୍ୟକ୍ରମ ଆଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ କରିବା ଉପରେ ଗୁରୁତ୍ଵାରୋପ କରିବା ସହ ଚାଲୁଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ସ୍ୱଚ୍ଛତା ରଖି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଜମି ଜବରଦଖଲ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।











Leave a Reply