ଅକ୍ଷର ବ୍ୟୁରୋ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ତତ୍ପର ପ୍ରତ୍ନତତ୍ତ୍ୱ ବିଭାଗ । ଅକ୍ଷୟ ତୃତୀୟା ଠାରୁ ଗର୍ଭଗୃହକୁ ଟନେଲ ନିର୍ମାଣ ପାଇଁ ଖନନ ଜାରି ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ କୁଶଳୀ କାରିଗରଙ୍କ ଦ୍ୱାରା କୌଣସି ଯନ୍ତ୍ରାଂଶ ବ୍ୟବହାର ନକରି ହାତ ହତିଆରରେ ଖନନ କରାଯାଉଛି । ଚତୁର୍ଥ ଦିନ ଶେଷ ସୁଦ୍ଧା ୨ ଫୁଟ ଚଉଡ଼ା ଓ ୪ ଫୁଟ ଲମ୍ବରେ ଖନନ କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟକୁ ସ୍ୱତନ୍ତ୍ର ମନିଟରିଂ ଟିମ୍ ଅନୁଧ୍ୟାନ କରିଛି । ଇଂରେଜ ମାନେ ମନ୍ଦିରର ପଶ୍ଚିମରେ ତଳୁ ୮୦ ଫୁଟ ଉପରେ ଥିବା ପ୍ରଥମ ପିଢ଼ ଉପରିଭାଗରେ ଏକ ଟନେଲ୍ କରି ବାଲି ଭର୍ତ୍ତି କରିବା ପରେ ଏହି ସ୍ଥାନକୁ ପଥର କାନ୍ଥ କରି ବନ୍ଦ କରିଦେଇଥିଲେ । ତେବେ ଏହି ସ୍ଥାନରେ ପଥରର ସ୍ଥିତି ଯାଞ୍ଚ ଆଉ ଦୁଇଟି କୋର୍ ଡ୍ରିଲ ହେବା ପରେ ମାଡ୍ରାସ ଆଇଆଇଟି ଦ୍ବାରା ମନ୍ଦିର ଗର୍ଭଗୃହରେ ଥିବା ବାଲିର ସ୍ଥିତି ଯାଞ୍ଚ କରାଯାଇଛି । ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନଥିବା ରିପୋର୍ଟରୁ ଜଣାପଡ଼ିବା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଟନେଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ତେବେ ମନ୍ଦିର ଗର୍ଭଗୃହର ସୁରକ୍ଷା ପାଇଁ ସୁରକ୍ଷିତ ବାଲି କାଢ଼ିବା ନିଷ୍ପତ୍ତିକୁ କୋଣାର୍କର ବୁଦ୍ଧିଜୀବୀ ଓ ଭୂତତ୍ତ୍ବବିତ୍ ମାନେ ସ୍ୱାଗତ କରିଛନ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ତତ୍ପର; ଅନୁଧ୍ୟାନ କରୁଛି ସ୍ୱତନ୍ତ୍ର ମନିଟରିଂ ଟିମ୍ ।












Leave a Reply