୧୮ରୁ ବିଧାନସଭା ଅଧିବେଶନ, ଭୁବନେଶ୍ୱରରେ ଲାଗିଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଅଷ୍ଟମ ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୁଲିସ। ବିଧାନସଭା ପରିସରର ସୁରକ୍ଷା, ଜନସାଧାରଣଙ୍କ ନିରାପତ୍ତା ଏବଂ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭା ଦେଇ କିମ୍ବା ଏହାର ସଂଲଗ୍ନ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏଥିସହ ବିଭିନ୍ନ ଛକରୁ ଯାତାୟାତ କରୁଥିବା ଗାଡ଼ି ପାଇଁ ବିକଳ୍ପ ରୁଟ୍ ନିର୍ଦ୍ଧାରଣ କରାଯାଇଛି। କମିଶନରେଟ୍ ପୁଲିସର ବିଜ୍ଞପ୍ତି ଅନୁସାରେ, ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ କେଶରୀ ଟକିଜ୍ ନିକଟରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଯାତାୟାତ କରିବେ।

ସେହିପରି ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ନିକଟସ୍ଥ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବେ। ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ଯାନବାହନ ଲୋୟର ପି.ଏମ୍.ଜି. ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ବ୍ୟବହାର କରିପାରିବେ। ଅନ୍ୟପଟେ ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଅଭିମୁଖେ ଯିବାକୁ ଥିବା ଗାଡ଼ିଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯାତାୟାତ କରିବେ। ଲୋକଭବନ ପଟୁ ଏମ୍.ଏଲ୍.ଏ. କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଯାନବାହନ ଶାସ୍ତ୍ରୀ ନଗର ଛକ ଦେଇ ଯିବେ।

ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଯଥା ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ଏଥିସହ ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଅଧିକୃତ ଯାନବାହନ ମଧ୍ୟ ଏହି ନିୟମରୁ ବାଦ୍ ପଡ଼ିବେ। ବିଧାନସଭାର ଅଧିବେଶନ ଚାଲିଥିବା ସମୟ ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ବଳବତ୍ତର ରହିବ। ତେଣୁ ରାଜଧାନୀରେ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ଅସୁବିଧା ଏଡ଼ାଇବା ପାଇଁ ନିର୍ଦ୍ଧାରିତ ବିକଳ୍ପ ରାସ୍ତା ବ୍ୟବହାର କରିବା ସହ ପୁଲିସର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial