ଆଜିଠୁ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ । ବର୍ତ୍ତମାନ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଦଳରେ ଆୟୁଷ୍ମାନ କାର୍ଡ ଲାଗୁ ହେବ। କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ତା’ସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଅନ୍ୟମାନେ ଉପସ୍ଥିତ ରହିବେ । ଏହି ଅବସରରେ ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ହେବ । ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।
କଟକ ପରେ ୧୨ଟି ଜିଲ୍ଲାରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ତା’ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ମଧ୍ୟ ଶୁଭାରମ୍ଭ ହେବ ।
ଆୟୁଷ୍ମାନ ଭାରତରେ ଦେଶର ୨୯୦୦୦ଟି ଡାକ୍ତରଖାନାରେ ହିତାଧିକାରୀ ଚିକିତ୍ସା କରିବାର ସୁବିଧା ପାଇବେ । ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଆୟୁଷ୍ମାନ ଯୋଜନାରେ ରାଜ୍ୟରେ ସାଢ଼େ ୩କୋଟି ୪୬ଲକ୍ଷ ଲୋକ ସମ୍ମିଳିତ ହେବେ । ଉପକୃତ ହେବେ ୧କୋଟି ୩ ଲକ୍ଷରୁ ଅଧିକ ପରିବାର । ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋଗୀଙ୍କୁ ଚିକିତ୍ସା ପାଇଁ କ୍ୟାସଲେସ୍ ସୁବିଧା ମିଳିବ । ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଏବଂ ଗୋଟିଏ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ପରିବାର ପିଚ୍ଛା ବାର୍ଷିକ ଅତିରିକ୍ତ ୫ଲକ୍ଷ ଚିକିତ୍ସା ସୁବିଧା ମିଳିବ ।
ସେହିପରି ଲୋକଙ୍କ ପାଖରେ କାର୍ଡ ପହଞ୍ଚିବା ପାଇଁ ସବୁ ବ୍ଲକ୍ ର ଆଶାକର୍ମୀମାନେ ଘର ଘର ବୁଲି ଲୋକଙ୍କୁ କାର୍ଡ ପ୍ରଦାନ କରିବେ । ପରିବାରର ସମସ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ କାର୍ଡ ମିଳିବ । ଯେଉଁମାନଙ୍କ ନାଁ ପୂର୍ବ ସ୍ୱାସ୍ଥ୍ୟବୀମାରେ ସାମିଲ ଥିବ ସେମାନଙ୍କୁ ଏହି କାର୍ଡ ମିଳିବ ଏବଂ ରାସନ କାର୍ଡରେ ଯେଉଁମାନଙ୍କ ନାଁ ସାମିଲ ଥିବ ସେମାନଙ୍କୁ ମଧ୍ୟ କାର୍ଡ ମିଳିବ ।












Leave a Reply