ଚିଲିକାରେ ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଯୋଗଦେଲେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ସହରରେ କାଲି ଅନୁଷ୍ଠିତ ହୋଇଥିଲା ବିଶାଳ ରାଲି। ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିବାକୁ ପାଇଥିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉକ୍ତ ରାଲିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ। ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)